୨୦୨୪-୨୫ CAG ରିପୋର୍ଟ: ଓଡ଼ିଶାରେ ୧୧.୪% ଅର୍ଥନୀତିକ ବୃଦ୍ଧି, କିନ୍ତୁ ପ୍ରଶାସନରେ ଗୁରୁତର ତ୍ରୁଟି ପ୍ରକାଶ

ଭୁବନେଶ୍ୱର:Comptroller and Auditor General of India (CAG) ପକ୍ଷରୁ ମାର୍ଚ୍ଚ ୨୦୨୫ରେ ଶେଷ ହୋଇଥିବା ବର୍ଷ ପାଇଁ ଜାରି ହୋଇଥିବା ରିପୋର୍ଟରେ ଓଡ଼ିଶାର ଅର୍ଥନୀତି ଓ ପ୍ରଶାସନୀକ ପରିଚାଳନା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି ୧୧.୪୦ ପ୍ରତିଶତ ହାରେ ବୃଦ୍ଧି ପାଇଛି। ରାଜ୍ୟ ଘରୋଇ ଉତ୍ପାଦ (GSDP) ୮,୯୦,୦୩୮ କୋଟି ଟଙ୍କାକୁ ପହଞ୍ଚିଛି। ସେହିପରି, ରାଜ୍ୟରେ ୨୨,୬୫୧ କୋଟି ଟଙ୍କାର ରାଜସ୍ୱ ବଳକା ରହିଥିବା ଉଲ୍ଲେଖ ହୋଇଛି। ରାଜସ୍ୱ ସଂଗ୍ରହରେ ୨.୪୩ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ, ନିଜସ୍ୱ କର ଆୟ ୨ ହଜାର କୋଟିରୁ ଅଧିକ ବଢ଼ିଛି। କିନ୍ତୁ ଅଣ-କର ଆୟରେ ୧୭୯୦ କୋଟି ଟଙ୍କାର ହ୍ରାସ ଦେଖାଯାଇଛି।

ଏହାସହ ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ଅନିୟମିତତା ଓ ଅବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଯାଇଛି। ୨୦୧୮ରୁ ୨୦୨୩ ମଧ୍ୟରେ ସଡ଼କ ଓ ସେତୁ ନିର୍ମାଣରେ ୯୫୫ କୋଟି ଟଙ୍କାର ଅନିୟମିତତା ଚିହ୍ନଟ ହୋଇଛି। ଜେଲ୍ ପ୍ରଶାସନରେ ଗୁରୁତର ତ୍ରୁଟି ଦେଖାଯାଇଥିବା ସହ, ୩୧ଟି ଜେଲ୍‌ରେ ଅତ୍ୟଧିକ କଏଦୀ ରହିଥିଲେ। CCTV କ୍ୟାମେରା, ମେଟାଲ ଡିଟେକ୍ଟର ଓ ବ୍ୟାଗେଜ ସ୍କାନର ଅଚଳ ଥିବା ସହ ଏହି ସମୟରେ ୨୯ କଏଦୀ ଫେରାର ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଏହାସହ ଜଙ୍ଗଲ ଜମି ହସ୍ତାନ୍ତରରେ ୨୧ କୋଟି କ୍ଷତିପୂରଣ ଆଦାୟ ହୋଇନି। ଖଣି ଉତ୍ତୋଳନରେ ଅନିୟମିତତା ଯୋଗୁଁ ପ୍ରାୟ ୪୦ କୋଟି ଟଙ୍କା ରାଜସ୍ୱ କ୍ଷତି ଓ ବିଳମ୍ବିତ ରୟାଲଟି ଆଦାୟରେ ୯୦ କୋଟି କ୍ଷତି ହୋଇଛି। ସାମାଜିକ ଯୋଜନାରେ ମଧ୍ୟ ଅନେକ ତ୍ରୁଟି ଚିହ୍ନଟ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ୩୮୧ କୋଟି ଟଙ୍କା ଖର୍ଚ୍ଚ କରିପାରିନଥିବାବେଳେ, MGNREGA ଯୋଜନାରେ ୪୧୯ କୋଟି ଟଙ୍କାର ଅପବ୍ୟୟ ହୋଇଥିବା ଉଲ୍ଲେଖ ହୋଇଛି। ତେବେ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ଭାବେ ବଢ଼ୁଥିବା ସତ୍ତ୍ୱେ, ପ୍ରଶାସନ ଓ ଯୋଜନା କାର୍ଯ୍ୟାନ୍ବୟନରେ ଗୁରୁତର ତ୍ରୁଟି ଥିବାକୁ CAG ରିପୋର୍ଟ ପ୍ରକାଶ କରିଛି।