ଭୁବନେଶ୍ଵର: ରାଜ୍ୟର ଆଉ ଚାରିଟି ଜିଲ୍ଲାରେ ଚାଉଳ ATM ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଚାଉଳ ATM ସ୍ଥାପନ କରାଯିବ। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ରାଜ୍ୟର ପ୍ରଥମ ଚାଉଳ ATM ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖୋଲାଯାଇଥିଲା। ୨୦୨୪ ଜୁଲାଇ ମାସରୁ ଏପର୍ଯ୍ୟନ୍ତ ଏହି ATM ମାଧ୍ୟମରେ ୨୦ ହଜାର ୨୧୭ ଜଣ ଲାଭାନ୍ବିତ ଚାଉଳ ଉଠାଇଛନ୍ତି। ସେହିପରି, ଏହି ସମୟ ମଧ୍ୟରେ ମୋଟ ୩ ହଜାର ୮୦୫ କୁଇଣ୍ଟାଲ ଚାଉଳ ବଣ୍ଟନ ହୋଇଥିବା ସୂଚନା ମିଳିଛି। ରାସନ ବଣ୍ଟନ ପ୍ରଣାଳୀକୁ ଅଧିକ ସହଜ ଓ ପ୍ରଯୁକ୍ତିନିର୍ଭର କରିବା ପାଇଁ ସରକାର ଏହି ଚାଉଳ ATM ବ୍ୟବସ୍ଥା ଆରମ୍ଭ କରିଛନ୍ତି।