ଉଠା ଜଳସେଚନ ପ୍ରକଳ୍ପରେ ଅଚଳାବସ୍ଥା: ଦୁଇ ଦିନ ହେଲା ଜଳ ଯୋଗାଣ ବନ୍ଦ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସ୍ଥିତ ମଙ୍ଗଳପୁର ଉଠା ଜଳସେଚନ ପ୍ରକଳ୍ପରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଗତ ଦୁଇ ଦିନ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ଧାନ ରୁଆର ସମୟ ହୋଇଥିବା ବେଳେ, ପାଣି ଅଭାବରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ‘ଏଲଏଣ୍ଡଟି’ ସଂସ୍ଥା ହାତରେ ରହିଥିଲା। ଗତ ଡିସେମ୍ବରରେ ୫ ବର୍ଷିଆ ଅବଧି ଶେଷ ହୋଇଥିଲେ ସୁଦ୍ଧା କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଆଗାମୀ ୧୦ ବର୍ଷ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ, ହଠାତ ଜଳ ଯୋଗାଣ ବନ୍ଦ ହେବା ପଛରେ କେଉଁ ରହସ୍ୟ ରହିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବିଭାଗୀୟ ଅଧିକାରୀମାନେ “ମରାମତି କାର୍ଯ୍ୟ” ଚାଲିଥିବା ଦର୍ଶାଉଥିଲେ ମଧ୍ୟ ଚାଷୀମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। କୌଣସି ବଡ଼ ଧରଣର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି କରାଯାଉଛି କି ବୋଲି ସନ୍ଦେହ ପ୍ରକାଶ ପାଇଛି।ଶନିବାର ଓ ରବିବାର ଜଳ ଯୋଗାଣ ବନ୍ଦ ପରେ ସୋମବାର ସନ୍ଧ୍ୟାରେ ପାଣି ଛାଡିଥିବା ବିଭାଗୀୟ ଅଧିକାରୀ କହିଛନ୍ତି।