ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ Amit Shah ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀରୁ ବିଶେଷ ବାୟୁସେନା ବିମାନରେ ଭୁବନେଶ୍ୱର ପହଁଚିବେ। ମାର୍ଚ୍ଚ ୬ ତାରିଖ ପୂର୍ବାହ୍ନରେ ସେ କଟକ ଜିଲ୍ଲାର ମୁଣ୍ଡୁଳିରେ ଆୟୋଜିତ Central Industrial Security Force (ସିଆଇଏସଏଫ) ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ National Forensic Sciences University (ଏନଏଫଏସୟୁ) ଓ Central Forensic Science Laboratory (ସିଏଫଏସଏଲ) କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ। ସେହି ସହିତ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସର ଉଦ୍ଘାଟନ କରିବେ।

ଅପରାହ୍ଣରେ ଭୁବନେଶ୍ୱରର Odisha Industrial Infrastructure Development Corporation (ଇଡକୋ) ପ୍ରଦର୍ଶନୀ ପଡ଼ିଆରେ ସେ “ନବୀନ ନ୍ୟାୟ ସଂହିତା” ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ଏକାଧିକ ସମବାୟ ଓ ଅନ୍ୟ ବିଭାଗର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ବିଭାଗକୁ ପାରସ୍ପରିକ ସମନ୍ୱୟରେ କାର୍ଯ୍ୟ କରି ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଗୋଡ଼ିସାହିରୁ ମୁଣ୍ଡୁଳି ପର୍ଯ୍ୟନ୍ତ ରାସ୍ତାର ସୁଧାର, ଆଲୋକୀକରଣ, ପରିସ୍କାରତା ଓ ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରାନ୍ବିତ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ଗୃହ, ଶିଳ୍ପ ଓ ସୂଚନା-ଲୋକସଂପର୍କ ବିଭାଗ ସହିତ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି।