ରୋହିତ ସେଟ୍ଟୀଙ୍କ ଜୁହୁ ଘର ବାହାରେ ଗୁଳିକାଣ୍ଡ, ୧୧ ଗିରଫ

ମୁମ୍ବାଇ: ବଲିଉଡ୍ ନିର୍ମାତା-ନିର୍ଦ୍ଦେଶକ ରୋହିତ୍ ସେଟ୍ଟିଙ୍କ ମୁମ୍ବାଇର ଜୁହୁ ସ୍ଥିତ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅଭିଯାନରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ସମ୍ପ୍ରତି ରାଜସ୍ଥାନରୁ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପାଇଁ ମୁମ୍ବାଇକୁ ଆଣାଯାଉଛି। ତଦନ୍ତ କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି।

ଘଟଣା ଫେବୃଆରୀ ୧ ତାରିଖ ରାତି ପ୍ରାୟ ୩ଟା ସମୟରେ ଘଟିଥିଲା। ସେହି ଦିନ ୪ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ଫେବୃଆରୀ ୫ ତାରିଖରେ ଆଉ ଜଣେ ଅଭିଯୁକ୍ତ ଧରାପଡ଼ିଥିଲେ। ବର୍ତ୍ତମାନ ସହ ମୋଟ ଗିରଫ ସଂଖ୍ୟା ୧୧କୁ ପହଞ୍ଚିଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ସହ ଜଡିତ ଥିବା ସନ୍ଦେହ କରାଯାଉଛି। ପୋଲିସ ଏହି ଦିଗରେ ତଦନ୍ତ ଜାରି ରଖିଛି।ଫେବୃଆରୀ ୧ ଶନିବାର ଦେରରାତିରେ ଦୁର୍ବୃତ୍ତମାନେ ରୋହିତ ସେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ପଳାଇଯାଇଥିଲେ। ସୂଚନା ମିଳିବା ସହିତ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଗୁଳିକାଣ୍ଡ ଘଟଣା ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି। ପୋଲିସ ମାମଲାର ସମସ୍ତ ପାର୍ଶ୍ୱ ଖତିଆନ କରୁଛି ଏବଂ ଅଧିକ ଗିରଫ ହେବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିନାହାନ୍ତି।