ଆସନ୍ତାକାଲିଠାରୁ CBSE ଦଶମ–ଦ୍ୱାଦଶ ପରୀକ୍ଷା ଆରମ୍ଭ; ୪୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର: CBSE ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ । କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍‌ ପେପର ଭିତରୁ ୩ଟି ଦେଇପାରିବେ । ପ୍ରଥମ ବୋର୍ଡରେ ୩ଟି ବା ତଦୁର୍ଦ୍ଧ ପେପର ଦେଇ ନ ଥିଲେ ମିଳିବନି ଅନୁମତି । ପ୍ରଥମ ବୋର୍ଡ ପରୀକ୍ଷା ନ ଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ । ଏସେନସିଆଲ ରିପିଟ’ ବର୍ଗରେ ରହିଲେ ପରବର୍ଷ ପରୀକ୍ଷା ଦେବେ ।

ତେବେ ଆସନ୍ତାକାଲିଠାରୁ Central Board of Secondary Education (CBSE) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ଏଥର ସାରା ଦେଶରେ ୪୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିବେ। ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ତେଣୁ ପରୀକ୍ଷାର୍ଥୀମାନେ ସକାଳ ୧୦ଟା କିମ୍ବା ତା’ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ୧୦ଟା ସୁଦ୍ଧା କେନ୍ଦ୍ରରେ ନ ପହଞ୍ଚିଲେ ପରୀକ୍ଷା କେନ୍ଦ୍ରର ଗେଟ୍ ବନ୍ଦ ହୋଇଯିବ ଏବଂ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି।

ପାଣିପାଗ ପରିସ୍ଥିତି, ଟ୍ରାଫିକ ଭିଡ଼ ଓ ଜାତୀୟ–ଅନ୍ତର୍ଜାତୀୟ ସମ୍ମିଳନୀ ଯୋଗୁଁ ଯାତାୟାତରେ ବାଧା ସମ୍ଭାବନାକୁ ଦୃଷ୍ଟିରେ ରଖି ଘରୁ ଆଗୁଆ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଯିବ ବୋଲି ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ଏଡମିଟ୍ କାର୍ଡ ସହ ଆବଶ୍ୟକ ଦଲିଲପତ୍ର ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ CBSE ଜୋର ଦେଇଛି। ମୋଟକଥା, ସମୟନୀଷ୍ଠା ଓ ପୂର୍ବ ପ୍ରସ୍ତୁତି ହେଉଛି ଏଥରର ପରୀକ୍ଷାରେ ସଫଳତାର ପ୍ରଥମ ପଦକ୍ଷେପ।