ବଜେଟ୍‌ ଅଧିବେଶନ ୨୦୨୬: ଓଡ଼ିଶା ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବଜେଟ୍‌ ଅଧିବେଶନ ୨୦୨୬ ପୂର୍ବରୁ ଓଡ଼ିଶା ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସର୍ବଦଳୀୟ ବୈଠକ ସମାପ୍ତ ହେବା ପରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ୨୯ ଦିନ ଧରି ଚାଲିବ। ଡିଜିପି ସୁନିଲ କୁମାର ଖୁରାନିଆ ଓ ପୁଲିସ କମିଶନର ଦେବଦତ୍ତ ସିଂ ବିଧାନସଭା ପରିସରର ସୁରକ୍ଷା ଯାଞ୍ଚ କରିଛନ୍ତି। ୩୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ SOG କମାଣ୍ଡୋ ନିୟୋଜିତ ହେବେ। ବମ୍ ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍‌ ଓ ଅଗ୍ନିଶମ ବାହିନୀ ମଧ୍ୟ ତାୟନାତ ରହିବେ। ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।

ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍‌ ଉପସ୍ଥାପନ କରିବେ। ଏଥର ଧାନ ମଣ୍ଡି ଅବ୍ୟବସ୍ଥା, ମହାନଦୀ ଜଳବିବାଦ ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଗୃହ ହୁଲସ୍ତୁଲ ହେବାର ସମ୍ଭାବନା ରହିଛି। ଧାନ କିଣାରେ ୧୫୦ କ୍ୱିଣ୍ଟାଲ୍‌ ସୀମା ନିର୍ଦ୍ଧାରଣକୁ ନେଇ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ଦେଖାଦେଇଛି। ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ। ସେପଟେ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ମୁକାବିଲା କରିବାକୁ ରଣନୀତି ତିଆରି କରୁଛି।

ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚର୍ଚ୍ଚା ଆଉଥରେ ତୀବ୍ର ହୋଇପାରେ। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନେଇ ମଧ୍ୟ ପ୍ରସଙ୍ଗ ଉଠିପାରେ। ବିଧାନସଭା ଚାଲିବା ସମୟରେ ଗାନ୍ଧୀମାର୍ଗରେ ଏଆଇ କ୍ୟାମେରା ସର୍ଭିଲାନ୍ସ ଓ ଗୁଇନ୍ଦା ବିଭାଗର ବିଶେଷ ନଜର ରହିବ। ୫ଟି ଅସ୍ଥାୟୀ ପୁଲିସ କ୍ୟାମ୍ପ୍‌ ସହ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ସ୍ଥାପିତ ହୋଇଛି। ମୋଟକଥା, ଏଥର ବଜେଟ୍‌ ଅଧିବେଶନ ରାଜନୈତିକ ତର୍କ-ବିତର୍କରେ ଗରମ ହେବା ସହ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଉଚ୍ଚ ସତର୍କତାରେ ରହିବ।