ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମିଳିଛି ନୂଆ ଠିକଣା। ‘ସେବା ତୀର୍ଥ’ ନାମରେ ନୂଆ PMO କମ୍ପ୍ଲେକ୍ସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ Narendra Modi। ଏହାସହ ‘କର୍ତ୍ତବ୍ୟ ଭବନ ୧’ ଓ ‘କର୍ତ୍ତବ୍ୟ ଭବନ ୨’ ମଧ୍ୟ ଉଦଘାଟିତ ହୋଇଛି। ଏହି ନୂଆ କମ୍ପ୍ଲେକ୍ସରେ ଏବେ ଏକାଠି କାର୍ଯ୍ୟ କରିବେ PMO, ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରୀଏଟ୍ ଓ କ୍ୟାବିନେଟ ସେକ୍ରେଟାରୀଏଟ୍, ଯେଉଁମାନେ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ। ଏହା ଫଳରେ ପ୍ରଶାସନିକ କାର୍ଯ୍ୟରେ ସମନ୍ୱୟ ଓ ଦ୍ରୁତଗତି ଆସିବାର ଆଶା ରହିଛି।
କର୍ତ୍ତବ୍ୟ ଭବନ ୧ ଓ ୨ରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ, କର୍ପୋରେଟ୍ ଆଫେୟାର୍ସ, ଶିକ୍ଷା, ଆଇନ, ସୂଚନା ଓ ପ୍ରସାରଣ, କୃଷି, ରସାୟନ ଓ ସାର ସହିତ ଜନଜାତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟଗୁଡ଼ିକ ରହିବ। ସେବା ତୀର୍ଥରୁ କାର୍ଯ୍ୟ ଆରମ୍ଭ କରିବା ସହିତ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କିଛି ମୁଖ୍ୟ ଫାଇଲରେ ଦସ୍ତଖତ କରିଥିଲେ ଏବଂ ୪ଟି ବଡ଼ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିମାନଙ୍କ ମଧ୍ୟରେ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା, ମହିଳା ସ୍ୱାବଳମ୍ବନ ପାଇଁ ୨୦୨୯ ସୁଦ୍ଧା ୩ କୋଟିରୁ ୬ କୋଟି ଲାଭାନ୍ବିତଙ୍କ ଲକ୍ଷ୍ୟ, କୃଷି ଭିତ୍ତିଭୂମି ପାଣ୍ଠିକୁ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି, ଯୁବ ଉଦ୍ୟୋଗୀଙ୍କ ପାଇଁ ୧୦,୦୦୦ କୋଟି ଟଙ୍କାର ନୂଆ ପାଣ୍ଠି ଅନୁମୋଦନ । ଅନ୍ୟପଟେ, ପୂର୍ବରୁ ଚାଲୁଥିବା PMO ଭବନକୁ ଖାଲି କରାଯାଇ ସେଠାରେ ‘ଯୁଗେ ଯୁଗେ ଭାରତ ସଂଗ୍ରହାଳୟ’ ଗଠନ କରାଯିବ। ନୂଆ PMOର ମୂଳ ମନ୍ତ୍ର ‘ନାଗରିକ ଦେବୋ ଭବଃ’ ରହିଛି, ଯାହା ଦର୍ଶାଉଛି ଯେ ସରକାର ସଦା ସର୍ବଦା ଲୋକସେବା ପାଇଁ ପ୍ରତିବଦ୍ଧ।