ଭୁବନେଶ୍ୱର: ଦୀର୍ଘଦିନ ଧରି ଚାଲିଥିବା ସାଇ ଓ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହୋଟେଲ୍ରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ତ ମତଭେଦ ଦୂର ହୋଇଥିବା ସୂଚନା ମିଳିଛି। ଏହି ଆଲୋଚନା ସମୟରେ ସାଇଙ୍କ ବାପା ଓ ମାଆ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ପରେ ଅଭିନେତା ସାଇ କହିଛନ୍ତି ଯେ, ସେ ବହୁତ ଉତ୍ସାହିତ ଅଛନ୍ତି ଏବଂ ଆଜିଠୁ ପୁନର୍ବାର ମଞ୍ଚ ଚଢ଼ିବେ। ଅନ୍ୟପଟେ ନାଣ୍ଡୁ କହିଛନ୍ତି, ସାଇଙ୍କ ଶାରୀରିକ ସ୍ୱାସ୍ଥ୍ୟ ଭଲ ନଥିଲା, କିନ୍ତୁ ଏବେ ସବୁ ସମସ୍ୟା ସମାଧାନ ହୋଇଛି ଓ ସାଇ ଆଜିଠୁ ତୁଳସୀ ଗଣନାଟ୍ୟରେ ଅଭିନୟ କରିବେ।

ସମ୍ପ୍ରତି ସାଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ତାଙ୍କଠାରୁ ବ୍ଲାଙ୍କ ପେପରରେ ଦସ୍ତଖତ କରାଇ ନେଇଥିଲେ ଏବଂ ପରେ ୫ ବର୍ଷର ଏଗ୍ରିମେଣ୍ଟ ହୋଇଛି ବୋଲି କୁହାଯାଇଥିଲା। ସାଇ ଆହୁରି କହିଥିଲେ ଯେ, ତାଙ୍କୁ ମନା କରାଯାଇଥିବାରୁ ସେ ସୂର୍ଯ୍ୟମନ୍ଦିର ଠାରୁ ଟଙ୍କା ଆଣିଥିଲେ। ତଥାପି ସାଇ ସ୍ପଷ୍ଟ କରିଥିଲେ ଯେ, ସେ ତୁଳସୀ ମାଲିକଙ୍କ ସହ ସମାଧାନ କରିବାକୁ ଚାହୁଁଛନ୍ତି। ସୁରକ୍ଷା ଦିଆଯାଇଲେ ସେ ଆଉ ୪ ମାସ ତୁଳସୀ ସହ ଯାତ୍ରା କରିବେ ବୋଲି କହିଥିଲେ।

ଅଭିନେତ୍ରୀ ପାୟଲଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ସାଇ ସ୍ପଷ୍ଟ କରି କହିଛନ୍ତି ଯେ, ସେ ଖୁବ ଶୀଘ୍ର ପାୟଲଙ୍କୁ ବିବାହ କରିବେ। “ମୁଁ ଯେଉଁ ପାର୍ଟି ସହ ରହିବି, ପାୟଲ ମଧ୍ୟ ସେହି ପାର୍ଟିରେ ରହିବେ,” ବୋଲି ସାଇ କହିଛନ୍ତି। ତେବେ ଏଗ୍ରିମେଣ୍ଟ ସମ୍ପର୍କରେ ସାଇଙ୍କ ଅଭିଯୋଗ ନେଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ବର୍ତ୍ତମାନ ବିବାଦର ସମାଧାନ ପରେ ସାଇଙ୍କ ମଞ୍ଚରେ ପୁନର୍ବାସ ଦେଖିବାକୁ ଦର୍ଶକମାନେ ଉତ୍ସୁକ ଅଛନ୍ତି।