ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ‘ବିକଶିତ ଭାରତ’ ଗଠନ ପାଇଁ ଏକ ଦୃଢ଼ ଓ ଦୂରଦର୍ଶୀ ରୋଡମ୍ୟାପ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରକୁ ଏହି ବଜେଟ୍ ପ୍ରତିଫଳିତ କରୁଛି। ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୬.୮% ରୁ ୭.୨% ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ମୋଦୀ ସରକାର ଅବଧିରେ ଦେଶର ରପ୍ତାନୀ, FDI, GDP, ଫରେକ୍ସ ରିଜର୍ଭ ଓ GST ସଂଗ୍ରହରେ ଐତିହାସିକ ବୃଦ୍ଧି ଦେଖାଯାଇଛି।
ଚଳିତ ବଜେଟ୍ରେ ‘ବାୟୋଫାର୍ମା ଶକ୍ତି’, ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’, MSME ଗ୍ରୋଥ୍ ଫଣ୍ଡ୍, ଯୁବ ନିଯୁକ୍ତି ପାଇଁ ‘Education to Employment’ ଯୋଜନା ସହ ଶିକ୍ଷା, ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ୧୫,୦୦୦ ସ୍କୁଲ୍ ଓ ୫୦୦ କଲେଜରେ AVGC (ଆନିମେସନ୍, ଗେମିଂ) ଲ୍ୟାବ୍, ପ୍ରତି ଜିଲ୍ଲାରେ ଛାତ୍ରୀନିବାସ ଏବଂ ଶିକ୍ଷା-ଚିକିତ୍ସା ଉଦ୍ଦେଶ୍ୟରେ TCS ହାର କମାଇବା ପରି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି, ବଜେଟ୍ରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ‘ପୂର୍ବୋଦୟ’ ଯୋଜନା ଅଧୀନରେ ରାଜ୍ୟ ପାଇଁ ୧୦,୯୨୮ କୋଟି ଟଙ୍କାର ରେଳ ବଜେଟ୍ ଅନୁଦାନ, ଜାତୀୟ ଜଳପଥ-5, ରେୟାର ଆର୍ଥ କରିଡର, କୃଷି-ପର୍ଯ୍ୟଟନ-ଶିଳ୍ପ ଭିତ୍ତିଭୂମିର ବିକାଶ ଓ ବିପୁଳ ରୋଜଗାର ସୁଯୋଗ ସୃଷ୍ଟି ହେବ। କେନ୍ଦୁପତ୍ର ଉପରେ କର ହ୍ରାସ, ମତ୍ସ୍ୟ ଓ ବ୍ଲୁ ଇକୋନୋମୀ, SHG ମହିଳାଙ୍କ ସଶକ୍ତିକରଣ ଏବଂ ଗହିରମଥା ପରି ପର୍ଯ୍ୟଟନ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ସେ କହିଛନ୍ତି।