କଲମ୍ବୋ: ଟି୨୦ ବିଶ୍ୱକପ୍ ୨୦୨୬ରେ ପାକିସ୍ତାନ ବିଜୟ ସହିତ ନିଜ ଅଭିଯାନ ଆରମ୍ଭ କରିଛି। କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ରେ ପାକିସ୍ତାନ ରୋମାଞ୍ଚକର ମୁହୂର୍ତ୍ତରେ ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡସ୍ ଦଳ ୨୦ ଓଭରରେ ୧୪୭ ରନ୍ କରିଥିଲା। ହେଲେ ଲକ୍ଷ୍ୟ ପିଛା କରିବାକୁ ନେଇ ପାକିସ୍ତାନ ଦଳ ଭାରି ସଂଘର୍ଷର ସମ୍ମୁଖୀନ ହୋଇଥିଲା। ୧୮ତମ ଓଭର ସୁଦ୍ଧା ପାକିସ୍ତାନ ପରାଜୟର ନିକଟରେ ପହଞ୍ଚିଯାଇଥିଲା। କିନ୍ତୁ ମ୍ୟାଚ୍ର ମୁଖ୍ୟ ମୋଡ଼ ଆସିଥିଲା ୧୯ତମ ଓଭରରେ, ଯେଉଁଠାରେ ଫହୀମ୍ ଆଶ୍ରଫ୍ ତିନୋଟି ଛକା ଓ ଗୋଟିଏ ଚୌକା ମାରି ୨୪ ରନ୍ କରି ଦଳକୁ ବିଜୟ ଦିଗରେ ନେଇଯାଇଥିଲେ। ଶେଷ ଓଭରରେ ପାଞ୍ଚ ରନ୍ ଆବଶ୍ୟକ ଥିବାବେଳେ ଫହୀମ୍ ଏକ ଚୌକା ମାରି ପାକିସ୍ତାନର ବିଜୟ ସୁନିଶ୍ଚିତ କରିଥିଲେ।

ନେଦରଲ୍ୟାଣ୍ଡସ୍ ପାଇଁ ମାଇକେଲ୍ ଲେଭିଟ୍ ଦୃଢ଼ ଆରମ୍ଭ କରିଥିଲେ, କିନ୍ତୁ ପାକିସ୍ତାନୀ ବୋଲରମାନେ ମଝିରେ ମଝିରେ ୱିକେଟ୍ ନେଇ ଗତିକୁ ରୋକିଦେଇଥିଲେ। ୧୬ତମ ଓଭରର ଶେଷ ଦୁଇ ବଲ୍ରେ ନେଦରଲ୍ୟାଣ୍ଡସ୍ ତିନୋଟି ୱିକେଟ୍ ହରାଇଥିଲା, ଯାହା ମ୍ୟାଚ୍ର ଟର୍ନିଂ ପଏଣ୍ଟ୍ ହୋଇଥିଲା। ସଲମାନ୍ ମିର୍ଜା ସର୍ବାଧିକ ୩ ୱିକେଟ୍ ନେଇଥିବାବେଳେ ସୈମ୍ ଆୟୁବ, ମହମ୍ମଦ ନୱାଜ୍ ଓ ଅବରାର ଅହମ୍ମଦ ପ୍ରତ୍ୟେକେ ୨ଟି କରି ୱିକେଟ୍ ନେଇଥିଲେ। ବ୍ୟାଟିଂରେ ମଧ୍ୟ ସୈମ୍ ଆୟୁବ ଦ୍ରୁତ ଆରମ୍ଭ ଦେଇଥିଲେ, କିନ୍ତୁ ମଝି ଓଭରରେ ପାକିସ୍ତାନ ହଠାତ୍ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଫହୀମ୍ ଆଶ୍ରଫ୍ ଧୈର୍ୟ ଓ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନକୁ ଏକ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ।