ଇସଲାମାବାଦରେ ଜୁମେ ନମାଜ ସମୟରେ ମସଜିଦରେ ଆତ୍ମଘାତି ବୋମା ବିସ୍ଫୋରଣ, ୫୦ରୁ ଅଧିକ ମୃତ ଆଶଙ୍କା

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ଜୁମେ ନମାଜ ସମୟରେ ଏକ ଭୟଙ୍କର ଆତ୍ମଘାତି ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ଏହି ବିସ୍ଫୋରଣ ଇସଲାମାବାଦର ତାରଲାଇ ଅଞ୍ଚଳରେ ଥିବା କସର-ଏ-ଖଦିଜତୁଲ କୁବର ମସଜିଦରେ ଘଟିଛି, ଯାହା ସହରର ଏକ ପ୍ରମୁଖ ଓ ପ୍ରସିଦ୍ଧ ମସଜିଦ ଭାବେ ପରିଚିତ। ଅପରାହ୍ନ ପ୍ରାୟ ୧ଟା ସମୟରେ ଶତାଧିକ ଶ୍ରଦ୍ଧାଳୁ ନମାଜ ପାଠ ପାଇଁ ମସଜିଦରେ ଏକାଠି ହେଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା।

ପୋଲିସ ସୂଚନା ଅନୁସାରେ, ଜଣେ ଆତ୍ମଘାତି ଆକ୍ରମଣକାରୀ ମସଜିଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସନ୍ଦେହ ହେବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଗେଟ୍ ପାଖରେ ଅଟକାଇଥିଲେ। ତଦନ୍ତ ସମୟରେ ଆକ୍ରମଣକାରୀ ନିଜ ଶରୀରରେ ବାନ୍ଧିଥିବା ବୋମାକୁ ବିସ୍ଫୋରଣ କରିଦେଇଥିଲା। ବିସ୍ଫୋରଣ ପରବର୍ତ୍ତୀ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ଘଟଣାସ୍ଥଳରେ ଚାରିଆଡ଼େ ଧ୍ଵଂସାବଶେଷ ଓ ଆହତଙ୍କ ଆର୍ତ୍ତନାଦ ଦେଖିବାକୁ ମିଳିଥିଲା। ପୋଲିସ ଓ ସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଏବଂ ସିଡିଏ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବଳ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ଏବଂ ଇସଲାମାବାଦରେ କର୍ଫ୍ୟୁ ଜାରି କରାଯାଇଛି। ପୋଲିସ କହିଛି ଯେ, ଆକ୍ରମଣକାରୀର ସମ୍ପର୍କ ଆଫଗାନିସ୍ତାନ ସହ ଥିବା ସନ୍ଦେହ କରାଯାଉଛି ଏବଂ ଏହି ଆକ୍ରମଣ ପଛରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଥାଇପାରେ। ତେବେ ଏପର୍ଯ୍ୟନ୍ତ TTP ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।