ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନନାମ ଓଡ଼ିଆ ଓ ଇଂରାଜୀରେ ଭିନ୍ନ-ଭିନ୍ନ ଭାବେ ଲେଖାଯାଉଥିବାରୁ ଏହାକୁ ସଂଶୋଧନ କରି ଏକରୂପ କରିବା ପାଇଁ ରାଜସ୍ବ ବିଭାଗ ପଦକ୍ଷେପ ନେଇଛି। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟରେ ସ୍ଥାନନାମର ବନାନ ଏକାକାର ନ ଥିବାରୁ ପ୍ରଶାସନିକ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଥିଲା। ଏହି କାରଣରୁ ସମସ୍ତ ସ୍ଥାନନାମକୁ ଗୋଟିଏ ନିର୍ଦ୍ଦିଷ୍ଟ ଓ ମାନକ ବନାନରେ ଲେଖିବାକୁ ନିଷ୍ପତ୍ତି ନିଆଯାଇଛି।

ଉଦାହରଣ ସ୍ୱରୂପ, ଖୋର୍ଦ୍ଧା ଜିଲ୍ଲାର ନାମ ଓଡ଼ିଆରେ କେଉଁଠି ‘ଖୋର୍ଦ୍ଧା’, ‘ଖୁରଧା’ ବା ‘ଖୋରଧା’ ଭାବେ ଲେଖାଯାଉଥିଲା। ଏବେ ଏହାକୁ ସଂଶୋଧନ କରି କେବଳ ‘ଖୋରଧା’ ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଇଂରାଜୀରେ ଏହାର ସରକାରୀ ବନାନ Khoradha ହେବ। ଅନ୍ୟପଟେ, ବାଣପୁରକୁ ଇଂରାଜୀରେ କେହି Banpur ଓ କେହି Banapur ଲେଖୁଥିଲେ। ଏହାକୁ ମଧ୍ୟ ସଂଶୋଧନ କରାଯାଇ ଏବେ ସରକାରୀ ଭାବେ Banapur ଲେଖାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଏହି ପ୍ରକ୍ରିୟାରେ ରାଜ୍ୟର ମୋଟ ୭ଟି ଜିଲ୍ଲାର ଇଂରାଜୀ ନାମ ସଂଶୋଧନ କରାଯିବା ସହ ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧିତ ହେବ। ଏହି ବିଜ୍ଞପ୍ତି ସାଧାରଣ ଅବଗତି ପାଇଁ ପ୍ରକାଶ କରାଯାଇଛି। ଯଦି କାହାର ଏହା ସମ୍ପର୍କରେ କୌଣସି ଅପତ୍ତି କିମ୍ବା ପ୍ରସ୍ତାବ ରହିଥାଏ, ତେବେ ସେମାନେ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ। ନିର୍ଦ୍ଦିଷ୍ଟ ସମୟ ସୀମା ପରେ ଏହି ସଂଶୋଧିତ ନାମଗୁଡ଼ିକୁ ଅନ୍ତିମ ଭାବେ ଘୋଷଣା କରାଯିବ ବୋଲି ରାଜସ୍ବ ବିଭାଗ ସୂଚନା ଦେଇଛି।