ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗିଂରୁ ଅବସର ଘୋଷଣା କଲେ ଅରିଜିତ୍ ସିଂ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ୟଚକିତ କରିଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା ପ୍ଲେବ୍ୟାକ୍ ସିଙ୍ଗିଂରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଅରିଜିତ୍ ଏହି ସୂଚନା ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟରେ ଅରିଜିତ୍ ସିଂ ଲେଖିଛନ୍ତି, “ନମସ୍କାର, ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା। ବର୍ଷ ବର୍ଷ ଧରି ଆପଣମାନଙ୍କର ପ୍ରେମ ଓ ସମର୍ଥନ ପାଇଁ ମୁଁ ଆଭାରୀ। ମୁଁ ଏହା ଘୋଷଣା କରୁଛି ଯେ, ଆଗାମୀଦିନରେ ମୁଁ ପ୍ଲେବ୍ୟାକ୍ ସିଙ୍ଗର ଭାବରେ କୌଣସି ନୂତନ ଚଳଚ୍ଚିତ୍ର ପ୍ରୋଜେକ୍ଟ ଗ୍ରହଣ କରିବି ନାହିଁ। ଏହା ଏକ ସୁନ୍ଦର ଓ ସ୍ମରଣୀୟ ଯାତ୍ରା ଥିଲା।”

ତେବେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ ମଧ୍ୟ ଅରିଜିତ୍ ସଙ୍ଗୀତରୁ ଦୂରେଇବେ ନାହିଁ। ସେ ପୁଣିଥରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଦିଗରେ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନୂଆ କିଛି ଶିଖିବା ଏବଂ ନିଜ ସଙ୍ଗୀତ ଯାତ୍ରାକୁ ପୁନଃଆରମ୍ଭ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅରିଜିତ୍ ସିଂ ବର୍ତ୍ତମାନ ସମୟରେ ଭାରତୀୟ ସଙ୍ଗୀତ ଜଗତର ସବୁଠାରୁ ଲୋକପ୍ରିୟ ଓ ସଫଳ ଗାୟକମାନଙ୍କ ମଧ୍ୟରେ ଗଣନା ହୁଅନ୍ତି। “ଆଶିକି ୨” ଚଳଚ୍ଚିତ୍ରର “ତୁମ୍ ହି ହୋ” ଗୀତ ତାଙ୍କ କ୍ୟାରିଅରକୁ ଏକ ନୂଆ ଦିଗ ଦେଇଥିଲା। ଏହା ପରେ ସେ “ଛନ୍ନା ମେରେୟା”, “କେସରିୟା”, “ଅଗର ତୁମ୍ ସାଥ ହୋ”, “ରାବତା” ଭଳି ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ହିନ୍ଦୀ ସହିତ ବଙ୍ଗଳା, ତାମିଲ, ତେଲୁଗୁ, ମରାଠୀ ଓ କନ୍ନଡ ଭାଷାରେ ଗୀତ ଗାଇ ଅରିଜିତ୍ ୩୦୦ରୁ ଅଧିକ ଫିଲ୍ମରେ ନିଜ ସ୍ୱର ଦେଇଛନ୍ତି। ପ୍ଲେବ୍ୟାକ୍ ସିଙ୍ଗିଂରୁ ତାଙ୍କ ଅବସର ଘୋଷଣା ପରେ ସଙ୍ଗୀତ ପ୍ରେମୀ ଓ ପ୍ରଶଂସକମାନଙ୍କ ମଧ୍ୟରେ ଭାବୁକତା ଓ ଚର୍ଚ୍ଚା ଦେଖାଦେଇଛି।