ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ, ଆଗକୁ ବଦ୍ରିନାଥ ଏବଂ କେଦାରନାଥ ମନା

ଡେରାଡୁନ: ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇଛି। ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧ କେବଳ ଗଙ୍ଗୋତ୍ରୀ ଧାମ ପାଇଁ ନୁହେଁ, ବରଂ ମାଆ ଗଙ୍ଗାଙ୍କ ଶୀତକାଳୀନ ବାସସ୍ଥାନ ‘ମୁଖବା’ ପାଇଁ ମଧ୍ୟ ଲାଗୁ ହେବ। ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ସଭାପତି ସୁରେଶ ସେମୱାଲ କହିଛନ୍ତି, “ନୂଆ ନିଷ୍ପତ୍ତି ଅନୁଯାୟୀ ଗଙ୍ଗୋତ୍ରୀ ଧାମ ଓ ମୁଖବାରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିବ।” ଏହା ସହିତ ଶ୍ରୀ ବଦ୍ରିନାଥ, କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ, ଆଗାମୀ ବୋର୍ଡ ବୈଠକରେ ବଦ୍ରିନାଥ, କେଦାରନାଥ ସହ ସମସ୍ତ ମନ୍ଦିର କମିଟି ଅଧୀନରେ ଥିବା ମନ୍ଦିରଗୁଡ଼ିକରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ଏକ ପ୍ରସ୍ତାବ ଆଣାଯିବ।

ଅନ୍ୟପଟେ, ଉତ୍ତରାଖଣ୍ଡ ସରକାର ହରିଦ୍ୱାରର ୧୨୦ ବର୍ଗ କିଲୋମିଟର ପରିବ୍ୟାପ୍ତ ୧୦୫ଟି ଘାଟରେ ଅଣହିନ୍ଦୁଙ୍କ ପ୍ରବେଶକୁ ପ୍ରତିବନ୍ଧିତ କରିବା ଉପରେ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି,  “ଏପରି ସମ୍ବେଦନଶୀଳ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ତୀର୍ଥ ସମିତି, ସନ୍ଥ ଏବଂ ସମସ୍ତ ହିତାଧିକାରୀଙ୍କ ମତାମତ ନିଆଯିବ। ପବିତ୍ର ସ୍ଥାନଗୁଡ଼ିକର ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ରହିଛି, ତେଣୁ ନିୟମ ସମୀକ୍ଷା ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।”