ଆଜିଠୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍‌ର ଷୋଡଶ ସଂସ୍କରଣ, ଷଷ୍ଠ ମୁକୁଟ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଏହି ୧୬ ଦଳୀୟ ପ୍ରତିଯୋଗିତା ୨୩ ଦିନ ଧରି ଚାଲିବାକୁ ଥିଲା ବେଳେ ମୋଟ ୪୧ ମ୍ୟାଚ୍‌ ଜିମ୍ବାୱେ ଓ ନାମିବ୍ୟାର ୫ଟି ସ୍ଥାନରେ ଖେଳାଯିବ । ଉଦ୍‌ଘାଟନୀ ଦିବସରେ ପ୍ରମୁଖ ଦାବିଦାର ଭାରତ ଭେଟିବ ଆମେରିକାକୁ । ଏହି ମ୍ୟାଚ୍‌ ଜିମ୍ବାୱେର ବୁଲାୱାଓରେ ଖେଳାଯିବ । ଏହି ମ୍ୟାଚ୍‌ ବାଦ୍‌ ପ୍ରଥମ ଦିନରେ ଆୟୋଜକ ଜିମ୍ବାୱେକୁ ଭେଟି ସ୍କଟଲାଣ୍ଡ ଏବଂ ପ୍ରଦାର୍ପଣକାରୀ ତାଞ୍ଜାନିଆକୁ ଭେଟିବ ୱେଷ୍ଟଇଣ୍ଡିଜ୍‌ । ଗତ ୧୬ ସଂସ୍କରଣରୁ ୫ଟିରେ ବିଜେତା ହୋଇଥିବା ଭାରତ ଷଷ୍ଠ ଟ୍ରଫି ଲକ୍ଷ୍ୟ ନେଇ ଗୁରୁବାର ପଡ଼ିଆକୁ ଓହ୍ଲାଇବ । ଗତ ୨୦୨୪ ସଂସ୍କରଣ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ।

ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ବିଜେତା ହୋଇଥିଲା । ବିଶ୍ବକପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳ କାଗଜ କଲମରେ ଏକ ସନ୍ତୁଳିତ ଦଳ ରହିଛି । ଗତ ୧୬ ମ୍ୟାଚ୍‌ରୁ ଏହି ଦଳ ୧୩ ଜିତିଛି । ଏଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟ ମଧ୍ୟ ରହିଛି । ଗ୍ରୁପ୍‌-ବି’ରେ ନ୍ୟୁଜିଲାଣ୍ଡ, ଆମେରିକା ଓ ବାଂଲାଦେଶ ସହ ଥିବା ଭାରତୀୟ ଦଳର ନେତୃତ୍ବ ଭାର ଆୟୁଷ ମହାତ୍ରେଙ୍କ ଉପରେ ଥିଲା ଉପଅଧିନାୟକ ରହିଛନ୍ତି ବିହାନ ମାଲହୋତ୍ରା । ଏଥିସହ ଦଳରେ ୧୪ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଥିଲା ବେଳେ ଗତ ଏସିଆ କପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଆରୋନ ଜର୍ଜ (୨୨୮) ରହିଛନ୍ତି । ଦଳରେ ଥିବା ଅଭିଜ୍ଞ କୁଣ୍ଡୁଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ସବୁଠୁ ଚର୍ଚ୍ଚାରେ ଅଛନ୍ତି ୨୦୨୫ ଆଇପିଏଲ୍‌ରେ ୩୫ ବଲ୍‌ରୁ ଶତକ ଅର୍ଜନ କରିଥିବା ସୂର୍ଯ୍ୟବଂଶୀ । ଏମାନଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ଦୃଢ଼ ଥିଲା ବେଳେ ବୋଲିଂରେ ରହିଛନ୍ତି ଦ୍ରୁତ ବୋଲର ଦୀପେଶ ଦେବେନ୍ଦ୍ରନ, ଆର୍‌ଏସ୍‌ ଅମ୍ବ୍ରିସ, କିଶାନ ସିଂହ ଓ ହେନିଲ ପଟେଲ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଭାରତ ୧୭ରେ ବାଂଲାଦେଶ ଏବଂ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ ।