ଭୁବନେଶ୍ଵର: ବହୁଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିର ବ୍ୟବସାୟିକ ପ୍ରତିଷ୍ଠାନ । ସରକାରୀ ଜମିରେ ଦୋକାନ କରି ପତିଆରା ଜାହିର କରୁଥିଲା ଅଭିଯୁକ୍ତ ଟୁଲୁ । ମାମଲାରେ ମୋଟ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଏହି ଘଟଣାରେ ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ । ଏପ୍ରିଲରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚିନ୍ମୟଙ୍କୁ ହତ୍ୟା କରାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ମଇ ୨୮ ତାରିଖ ରବିବାର ରାତି ୧୧ଟାରେ ଚିନ୍ମୟ ବାଇକ ଯୋଗେ ନିଜ ଦାଦା କୈଳାଶ ଚନ୍ଦ୍ର ସାହୁଙ୍କ ସହ ଘରକୁ ଫେରୁଥିବା ସମୟରେ ଉତ୍ତରା ବଜାର ନିକଟ କେନାଲବନ୍ଧ ରାସ୍ତାର ଏକ ନିଛାଟିଆ ସ୍ଥାନରେ ୧୫ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ମୁର୍ମୁଷ ଅବସ୍ଥାରେ ତାଙ୍କୁ ପ୍ରଥମେ ବାଳକାଟି ଡାକ୍ତରଖାନା ଓ ପରେ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।