ରାଜଧାନୀରେ କୃତିମ ବର୍ଷା, ସରିଛି କ୍ଲାଉଡ୍ ସିଡିଂ, ଏବେ ବର୍ଷାକୁ ଅପେକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ କରିବା ପାଇଁ ପ୍ରଥମ ଥର ଆର୍ଟିଫିସିୟଲ ବା କୃତ୍ରିମ ବର୍ଷା କରାଯାଇଛି । ଆଇଆଇଟି କାନପୁରର ଏକ ଟିମ କ୍ଲାଉଡ ସିଡିଂ ଜରିଆରେ ପୁରା ପ୍ରକ୍ରିୟା କରିଛି । ୨୦୨୩ରୁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବା ନେଇ ଯୋଜନା ଚାଲିଥିଲା । ତେବେ ଆଜି କେତେକ ସ୍ଥାନରେ କ୍ଲାଉଡ ସିଡିଂ ପରୀକ୍ଷଣ ଶେଷ ହୋଇଛି । ସନ୍ଧ୍ୟା ୫ଟା ପୂର୍ବରୁ ବର୍ଷା ହେବାର ସମ୍ଭାବନା ନାହିଁ । କାରଣ ଏହି ସମୟରେ ସହର ଉପରେ ଥିବା ମେଘରେ ଆର୍ଦ୍ରତା ୨୦ ପ୍ରତିଶତରୁ କମ୍ ଥାଏ ଏବଂ ଏତେ କମ୍ ସ୍ତରକୁ ଆସିଲେ, ବର୍ଷା ହେବାର ସମ୍ଭାବନା ସାଧାରଣତଃ ନଥାଏ।

ଦିଲ୍ଲୀର କିଛି ଅଞ୍ଚଳରେରେ ବର୍ଷା କରାଇବା ପାଇଁ କ୍ଲାଉଡ ସିଡିଂ ପରୀକ୍ଷଣ ଶେଷ ହୋଇଛି । ଏହି ପରୀକ୍ଷଣ କରିଥିବା ବିମାନଟି ଉତ୍ତର ପ୍ରଦେଶର କାନପୁରରେ ଥିବା ଏହାର ବେସକୁ ଫେରିଯାଇଛି । ବିଷାକ୍ତ କୁହୁଡ଼ିର ଚାଦର ତଳେ ଶ୍ୱାସରୁଦ୍ଧ ହୋଇଥିବା  ଦିଲ୍ଲୀ ସହର ଏବେ ସେହି ବର୍ଷାକୁ ଅପେକ୍ଷା କରିଛି।

କ୍ଲାଉଡ ସିଡିଙ୍ଗ ଦ୍ୱାରା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବର୍ଷା କରାଯାଇ ପାରିବ । ଏହା ଦ୍ୱାରା ବର୍ତ୍ତମାନ ମରୁଡ଼ି ଏବଂ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ହୋଇ ପାରୁଛି । ତେବେ କ୍ଲାଉଡ ସିଡିଙ୍ଗ ସମୟରେ, ଏକ ବିମାନରୁ ଅନେକ କ୍ଲାଉଡ ସିଡ୍‌ ବାଦଲରେ ବିଛା ଯାଏ, ଏହା ପରେ ହିଁ ଆକାଶରେ ବାଦଲ ଭରିଯାଏ ଏବଂ କିଛି ସମୟ ପରେ ବର୍ଷା ହୋଇଥାଏ । କିନ୍ତୁ ଏହି ପ୍ରକ୍ରିୟା ବହୁତ କଠିନ ହୋଇଥାଏ ।

ପୂର୍ବରୁ ଜୁଲାଇ ଓ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା, କିନ୍ତୁ ଅନୁକୂଳ ମୌସୁମୀ ପରିସ୍ଥିତି ନଥିବାରୁ ବିଳମ୍ବ ହୋଇଥିଲା। ଏହା ଦିଲ୍ଲୀରେ ପ୍ରଥମ ଥର ପାଇଁ କରାଯାଉଛି, ଯଦିଓ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଏହି ପ୍ରଣାଳୀ ପୂର୍ବରୁ ପରୀକ୍ଷଣ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧାର ପାଇଁ ଏହି ନୂତନ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।