୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି

ମୁମ୍ବାଇ: ୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ସୋମବାର ଅପରାହ୍ନରେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଅଭିନେତା । ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ମୃତ୍ୟୁବେଳକୁ ଗୋବର୍ଦ୍ଧନ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଜନ୍ମ ୧ ଜାନୁଆରୀ ୧୯୪୧ ମସିହାରେ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ସାନ୍ତାକ୍ରୁଜ୍ ଶ୍ମଶାନରେ କରାଯାଇଛି । ଅନେକ ବଲିଉଡ ସେଲିବ୍ରିଟି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ, ବିଶେଷ କରି ହାସ୍ୟ ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିଥିଲେ ଗୋବର୍ଦ୍ଧନ ଅସରାନି ।

ହାସ୍ୟ ଅଭିନେତା ଭାବେ ବଲିଉଡ ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ । ଧମାଲ, ଖଟାମିଠା,ଶୋଲେ ଭଳି ଅନେକ ନାମିଦାମି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ତିଆରି କରିଥିଲେ । ଫିଲ୍ମ ସୋଲେ ରେ ତାଙ୍କ   ଜେଲର ଭୂମିକା  ଓ ଡାଇଲଗ  ହମ୍ ଇଂରେଜ ଜମାନା କା ଜେଲର୍ ହେଁ ଦର୍ଶକଙ୍କ ମନଜିଣିଥିଲା ।   ଚୁପକେ ଚୁପକେ, ଛୋଟି ସି ବାତ୍, ରଫୁ ଚକ୍କର, ଅଭିମାନ୍ ଭଳି  ଫିଲ୍ମରେ ତାଙ୍କ ଭୂମିକା ଅତୁଳନୀୟ ।  ୧୯୭୨ରୁ ୧୯୯୧ ମଧ୍ୟରେ କେବଳ ରାଜେଶ ଖାନାଙ୍କ ସହ ୨୫ରୁ ଅଧିକ ଫିଲ୍ମ କରିଛନ୍ତି ।  ଆଧୁନିକ ଫିଲ୍ମ ହିସାବରେ  ସେ  ହେରାଫେରି ଓ  ଭାଗମଭାଗ, ଧମାଲ, ବଣ୍ଟି ଔର୍ ବବଲି-୨ ରେ ଅଭିନୟ କରିଥିଲେ ।  ନିଜ ଦମଦାର  ଅଭିନୟ ପାଇଁ ସେ ଦୁଇଥର  ଫିଲ୍ମଫେୟାର ବେଷ୍ଟ କମେଡିଆନ୍ ଆୱାର୍ଡ ପାଇଛନ୍ତି ।  ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ ବଲିଉଡରେ ପ୍ରାୟ ୩୫୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିଛନ୍ତି ।