ଭୁବନେଶ୍ଵର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବେ କୋମାରେ । ଏନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ଜାରି ହୋଇଛି ମେଡିକାଲ୍ ବୁଲେଟିନ୍ । ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ଏକାଧିକ ରୋଗରେ ପୀଡିତ ଅଛନ୍ତି ସେ । ନିମୋନିଆରେ ମଧ୍ୟ ପୀଡ଼ିତ ଅଭିଜିତ୍ । ଏବେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ମଧ୍ୟାହ୍ନ ପରଠାରୁ ICUରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ବହୁବିଧ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଜାରି ।
ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେଲାନି ଫଳରେ ଗୁରୁବାର ସକାଳୁ ସକାଳୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଚିନ୍ତାର ବିଷୟ ହେଲା, ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି ଅଭିଜିତ୍ ।
୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।