ଭୁବନେଶ୍ଵର: ମାଦକ ଦ୍ରବ୍ୟ ସେବନ ଚୋରା ଚାଲାଣ ଓ ବିକ୍ରି ଉପରେ ଲାଗିବ ଅଙ୍କୁଶ । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ । ଏନେଇ ଗତକାଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ସହରରେ ହେବ ସ୍ବତନ୍ତ୍ର ଅଭିଯାନ । ନିଶା ଚୋରା ଚାଲାଣ ଗ୍ରୁପ୍କୁ ଧରିବା ଓ ପ୍ରଚ୍ଛଦପଟ୍ଟରେ ଥିବା ମାଫିଆଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ । ସ୍ପେସାଲ୍ ଟାସ୍କଫୋର୍ସ, ଅବକାରୀ, ଏନ୍ସିବି, ବିଏମ୍ସି ଭୁବନେଶ୍ବର ପାଇଁ କାମ କରିବେ । ଭୁବନେଶ୍ବରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ବ୍ୟାପକ ଚଢ଼ାଉ ହେବ । ପ୍ରତ୍ୟେକ ଜିଲ୍ଲାରେ ମଡେଲ୍ ନିଶା ନିବାରଣ କେନ୍ଦ୍ର ହେବ ।

ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଦ୍ୱାରା “ଅପରେସର ପ୍ରହାର” ଆରମ୍ଭ କରାଯିବ । ପେଶାଦାର ଅପରାଧୀମାନଙ୍କୁ ବାନ୍ଧିବା ପାଇଁ ମାଦକ ଦ୍ରବ୍ୟ ଏବଂ ମାନସିକ ସ୍ନାୟବିକ କ୍ଷତିକାରକ ତଥା ବ୍ୟବହାରିକ କୁପ୍ରଭାବ ପକାଉଥିବା ପଦାର୍ଥର ଅବୈଧ ଚାଲାଣ ପ୍ରତିରୋଧ ଅଧିନିୟମ ( ପିଆଇଟି-ଏନଡିପିଏସ୍) ଧାରା ଏବଂ ସିଆରପିସି ୧୧୦ ( ବିଏନଏସଏସ-୧୨୯) ଧାରା ଲଗାଯିବ । ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଡ୍ରଗ୍ସ, ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ବିଭିନ୍ନ କ୍ରିମିନାଲ କାର୍ଯ୍ୟକଳାପ ବଢ଼ୁଛି । ସେଥିପାଇଁ ବ୍ୟାପକ ଚଢାଉର ଆବଶ୍ୟକତା ରହିଛି । ମାନ୍ୟବର ମନ୍ତ୍ରୀ ସମସ୍ତ ବିଭାଗ ମୁଖ୍ୟମାନଙ୍କୁ ପୂର୍ଣ୍ଣ ପ୍ରୟାସ ଦ୍ୱାରା ନିଶା ନିବାରଣ କରିବା ଏବଂ ନିଶା ବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ ତଥା ଟେକ୍ନୋଲେଜି ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ପଥ ଦେଇ ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା ।

ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବେଆଇନ୍ ମାଦ୍ରକ ଦ୍ରବ୍ୟ ଚୋରାଚାଲାଣ ଓ ନିଶାଦ୍ରବ ବ୍ୟବହାର ବିଭିନ୍ନ ଅପରାଧର କାରଣ ହେଉଥିବା ଏବଂ ଏହା ସମାଜ ପ୍ରତି କ୍ଷତିର କାରଣ ହେଉଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।