ବାଲେଶ୍ଵର: ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣା । ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ଉକ୍ତ କଲେଜର ଛାତ୍ର ହୋଇଥିବା ବେଳେ ଜଣେ ଅଣଛାତ୍ର ଅଟନ୍ତି । କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଅଣଛାତ୍ର ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ସହ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ପୂର୍ବରୁ ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ମୋଟ୍ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି ।
ସୂଚନା ଅନୁସାରେ, ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିର ୨୪ ଦିନ ପରେ ଅର୍ଥାତ୍ ମୃତ୍ୟୁର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ଜଣ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ । ତେବେ ଏଫଏମ କଲେଜରେ ଏଜୁକେଶନ ବିଭାଗର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ସୌମ୍ୟାଶ୍ରୀ ନ୍ୟାୟ ନପାଇ ଗତ ଜୁଲାଇ ୧୨ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଗତ ଜୁଲାଇ ୧୫ ତାରିଖରେ ଭୁବନେଶ୍ଵର ସ୍ଥିତ ଏମ୍ସରେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା । ଏବେ ଆଉ ୨ ଛାତ୍ରଙ୍କୁ ଗିରଫ କରାଯାଇଛି । ତେବେ କହିରଖୁଛୁ ଯେ, ଏ ହେଉଛନ୍ତି ସେହି ଜ୍ୟୋତି ପ୍ରକାଶ ଯିଏ ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ନିଜେ ଆହତ ହୋଇଥିଲେ ।