ଗିରଫ ହେଲେ ଏଫ୍ଏମ୍ କଲେଜ ପୂର୍ବତନ ପ୍ରିନ୍ସିପାଲ ଦିଲୀପ ଘୋଷ

ବାଲେଶ୍ଵର: ଗିରଫ ହେଲେ ବାଲେଶ୍ୱର FM କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ । ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ଥାନା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ଘଟଣାରେ ପୂର୍ବରୁ ଏଜୁକେସନ୍ ବିଭାଗର HOD ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଭୟେ ଗିରଫ ହୋଇଛନ୍ତି । ନୂଆ ଭାରପ୍ରାପ୍ତ ଅଧ୍ୟକ୍ଷ ହେଲେ ଫିରୋଜ ପାଢ଼ୀ।

ସେପଟେ FM କଲେଜରେ ତଦନ୍ତ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ବରରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ମାମଲା FM କଲେଜରେ ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଛି। ୩ ଘଣ୍ଟା ଧରି ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ମହିଳା ଶାଖା। କଲେଜ ଅଧ୍ୟକ୍ଷ ଓ ପୀଡ଼ିତାଙ୍କ ଭାଇଙ୍କଠୁ ତଥ୍ୟ ସଂଗ୍ରହ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ୨୦ ବର୍ଷୀୟ ବି.ଏଡ ଛାତ୍ରୀ ଗତ ଶନିବାର କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କ ଶରୀରର ୯୫% ଜଳିଯାଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ଏମ୍ସ ଭୁବନେଶ୍ୱରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଦିଲୀପ ପରିଡାଙ୍କ ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ଏବଂ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି, ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ। ସେ କହିଛନ୍ତି, ଲାଗୁଛି ପ୍ରଶାସନିକ ତଦନ୍ତରେ ବିଳମ୍ବ ହୋଇଛି, ସେଥିପଇଁ ଏମିତି ଏକ ଅଘଟଣ ଘଟିଛି। ଏ ଘଟଣାରେ କଲେଜ ଅଧ୍ୟକ୍ଷ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଥିଲା। ଏପରି ସମ୍ବେଦନଶୀଳ ମାମଲାରେ ଅଧ୍ୟକ୍ଷ ୪୮ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ମାଗିବାର ଥିଲା। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଆନ୍ତା ତେବେ ଏପରି ଘଟଣା ଘଟିନଥାନ୍ତା ବୋଲି କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି ।