ଆସୁଛନ୍ତି ମୋଦୀ, ଏହି ସବୁ ସ୍ଥାନରେ ଉଡିପାରିବନି ଡ୍ରୋନ କି ବିମାନ

ଭୁବନେଶ୍ଵର: ଇତି ମଧ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମୈଦାନରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ଖୋଲିବେ ବିକାଶର ପେଡି । ତେବେ ଏହା ପୁର୍ବରୁ ସୋସିଆଲ୍ ମିଡ଼ିଆ Xରେ ପିଏମ୍ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ କିଛି ଯୋଜନାର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଅନେକ ସରକାରୀ କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ଆୟୁଷ୍ମାନ କାର୍ଡ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁଯାୟୀ ହେବ । ହେଲିପ୍ୟାଡ ଓ ସଭାସ୍ଥଳରେ ଚାଲିଛି କଡ଼ାକଡ଼ି ଯାଞ୍ଚ । ଯାନବାହନ ଯାତାୟାତ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି। ରାଜଧାନୀରେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୦୦ ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ଆଜି ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ ରିହର୍ସାଲ ମଧ୍ୟ କରାଯାଇଛି । ସେହିପରି ଭୁବନେଶ୍ଵରର ଜନତାମୈଦାନକୁ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ ଜୋନ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଆଜି ଅପରାହ୍ନ ୩ଟା ୪୦ରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ୩ଟା ୪୫ରେ ରୋଡ୍‌ ସୋ’ରେ ବାହାରି ୪ଟା ୧୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ୍‌-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ।