ରିପୋର୍ଟର୍ସ ଟୁଡେ ବ୍ୟୁରୋ : ସମ୍ପର୍କ ତୁଟାଇବା ପରେ ପାକିସ୍ତାନକୁ ଚିନ୍ତା ଘାରିଛି । ଜରୁରୀକାଳୀନ ଭାବେ ପାକିସ୍ତାନ ଏବେ ଔଷଧ ମହଜୁଦ କରିବାରେ ଲାଗିପଡିଛି । ସିନ୍ଧୁ ଜଳ ଚୁକ୍ତି ଭାରତ ରଦ୍ଦ କରିବା ପରେ ପାକିସ୍ତାନ ବି ଜବାବ ଦେଇଛି । ନୂଆଦିଲ୍ଲୀ ସହ ସମସ୍ତ ବ୍ୟାପାରକୁ ନିଲମ୍ୱନ କରିଛି । ବ୍ୟାପାର ନିଲମ୍ୱିତ ହେବା ପରେ ଔଷଧର ଆବଶ୍ୟକତାକୁ ପୂରା କରିବା ପାଇଁ ତତ୍କାଳ ଉପାୟ ଖୋଜିବାରେ ପାକିସ୍ତାନ ଲାଗିପଡ଼ିଛି ।
ଔଷଧ ଆଉ ସ୍ୱାସ୍ଥ୍ୟକ୍ଷେତ୍ରରେ ପାକିସ୍ତାନ ଭାରତ ଉପରେ ନିର୍ଭରଶୀଳ । ପାକିସ୍ତାନ ମେଡିସିନ୍ ଆବଶ୍ୟକତା ପୂରଣ ନେଇ ଔଷଧ ବିନିୟାମକ ପ୍ରାଧିକରଣ ପୃଷ୍ଟି କରିଛି । କିନ୍ତୁ ଔଷଧ କ୍ଷେତ୍ରରେ ପ୍ରତିବନ୍ଧକ ପ୍ରଭାବ ନେଇ କୌଣସି ଔପଚାରିକ ଅଧିସୂଚନା ଦିଆଯାଇନାହିଁ । ପାକିସ୍ତାନ ଆକସ୍ମିକ ଭାବେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ଔଷଧ ପ୍ରସ୍ତୁତ କରିବା ପାଇଁ ୩୦ ରୁ ୪୦ ପ୍ରତିଶତ କଞ୍ଚାମାଲ ଉପରେ ଭାରତ ନିର୍ଭର କରିଥାଏ ।
ଯେଉଁଥିରେ ସକ୍ରିୟ ଔଷଧ ସାମଗ୍ରୀ ଓ ବିଭିନ୍ନ ଉନ୍ନତ ଚିକିତ୍ସା ଉତ୍ପାଦ ସାମଗ୍ରୀ ସାମିଲ ଅଛି । ତେଣୁ ଭାରତ ସହ ସମ୍ପର୍କ ଛିନ୍ନ କରି ପାକ୍ ଏବେ ଚୀନ ଋଷ ଓ ଅନ୍ୟ ୟୁରୋପୀୟ ଦେଶଠାରୁ ସାହାଯ୍ୟ ଆଶାରେ ରହିଛି ।
ପାକିସ୍ତାନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ପାକିସ୍ତାନ ଭାରତ ସହ ବ୍ୟାପାର ନିଲମ୍ୱନର ପରିଣାମରୁ ବର୍ତ୍ତିବା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ବଡ ବିପଦରେ ପଡିପାରେ । ସେହିଭଳି ଡିଆରଏପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୯ର ସଙ୍କଟ ପରେ ଆମେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଏବେ ଆମେ ନିଜ ଔଷଧ ଆବଶ୍ୟକତାକୁ ପୂରା କରିବାକୁ ଅନ୍ୟ ବିକଳ୍ପ ଖୋଜୁଛୁ ।