ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁ କୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ହାର ଯଥେଷ୍ଟ କମ୍ ଶିକ୍ଷକ ଆନୁପାତିକ ହାର ରହିଛି। ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ। ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ। ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି, ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡ୍ କ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ। ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି।