ତ୍ରିବେଣୀ ସଂଗମରେ ଦଳାଚକଟା ପରେ ଭିଭିଆଇପି ପାସ୍ ବାତିଲ

ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭ ତ୍ରିବେଣୀ ସଂଗମରେ ଗତକାଲି ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣାଇଛି ପ୍ରଶାସନ । ଏବେ ଭିଭିଆଇପି ପାସଗୁଡିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି ।
ତେବେ ଗତ ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ନଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ ।
ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ ,ବାରାଣସୀ , ଅଯୋଧ୍ୟା , ମିର୍ଜାପୁର ,ବସ୍ତି , ଜୌନପୁର , ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ।