ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଜଣେ ମୃତ ଜଣେ ଆହତ

ରାଜଗାଙ୍ଗପୁର (ଅଟଳ ବିହାରୀ ପଣ୍ଡା): ବିଲରେ ହଳ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ଦୁର୍ଘଟଣା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ଜରେଇକେଲା ପଞ୍ଚାୟତ ଚାନ୍ଦିପୋଷ ଅଞ୍ଚଳର ଦିଲର ଲାକ୍ରା ବୟସ ୩୨ ବର୍ଷ ଏବଂ ଆହତ ଜଣକ ଉକ୍ତ ଅଞ୍ଚଳର ଇସ୍ରେଲ ମୁଣ୍ଡୁ ବୟସ ୨୮ ବର୍ଷ ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ମୁତାବିକ ଆଜି ସନ୍ଧ୍ୟାରେ ଟ୍ରାକ୍ଟରଟି ବିଲରେ ହଳ କରି ଫେରୁଥିବା ସମୟରେ ଜରେଇକଲା ପାନପଡା ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଟ୍ରାକ୍ଟର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରାକ୍ଟର ରେ ବସି ଥିବା ଦୁଇ ଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଦୁହିଁଙ୍କ ମଧ୍ୟରୁ ଦିଲରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଇସ୍ରେଲ ଆହତ ହୋଇଥିଲେ। ଆହତଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ରାଜଗାଙ୍ଗପୁର ସିଏଚସିଙ୍କୁ ଅଣାଯାଇଥିଲା। ସେଠାରୁ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।