ମଣିଷ ଯାଇ ମଙ୍ଗଳରେ ଘର କରିବାକୁ ଯୋଜନା କଲାଣି, ହେଲେ ଭାରତରେ ଆଜି ମଧ୍ୟ ଅନ୍ଧବିଶ୍ୱାସ, ଗୁଣି ଗାରେଡି ପରି କୁ ପ୍ରଥା ଲୋକଙ୍କ ଭିତରେ ଘର କରି ବସିଛି । ଏଥିପାଇଁ ଅନେକ ଲୋକ ସାମାଜିକ ବାସନ୍ଦଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଦଣ୍ଡବିଧାନରେ ହନ୍ତସନ୍ତ ହେଉଛନ୍ତି । ଅନେକ ସମୟରେ ଲୋକଙ୍କର ଜୀବନ ମଧ୍ୟ ଏହି କୁ ପ୍ରଥାକୁ ନେଇ ଯାଉଛି । ତେଣୁ ଏସବୁ କୁଚଳଣି ବିରୋଧରେ ସୁପ୍ରିମ କୋର୍ଟରେ ଦାୟର ହୋଇଛି ମାମଲା । ଏହି କୁଚଳଣି, ଅବୈଜ୍ଞାନିକ କାର୍ଯ୍ୟକଳାପକୁ ବନ୍ଦ କରିବାକୁ କେନ୍ଦ୍ର ତଥା ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ ହୋଇଛି ଅପିଲ ।
ଏପରି କାର୍ଯ୍ୟ ମାଧ୍ୟମରେ ଭଣ୍ଡ ବାବାମାନେ ନିରୀହ ଜନତାଙ୍କ ଶୋଷଣ କରୁଛନ୍ତି । ଏହାକୁ ବନ୍ଦ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି । ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ତରଫରୁ ଦାୟର ଅପିଲକୁ ନେଇ କୁହାଯାଇଛି କି, କେନ୍ଦ୍ର ଓ ରାଜ୍ୟକୁ ସମ୍ବିଧାନର ଉପଧାରା ୫୧-ଏ ର ଭାବନା ଅନୁରୂପ ନାଗରିକମାନଙ୍କ ମଧ୍ୟରେ ବୈଜ୍ଞାନିକ ଭାବନା, ମାନବିକତା ଓ ଅନୁସନ୍ଧାନଧର୍ମୀ ଭାବନାର ବିକାଶ ଦିଗରେ ପଦକ୍ଷେପ ନେବା ଦିଗରେ କାମ କରିବାକୁ ଅପିଲ କରାଯାଇଛି ।
ସମ୍ବିଧାନର ଏହି ଉପଧାରା ମୌଳିକ ଦାୟିତ୍ୱ ସମ୍ବନ୍ଧିତ ରହିଛି । ଯାଚିକାରେ କୁହାଯାଇଛି କି, ଅନ୍ଧବିଶ୍ୱାସରେ ପୂର୍ଣ୍ଣ ପ୍ରଥାସବୁ କ୍ରୁର, ଅମାନବୀୟ ଓ ଶୋଷଣ କରିବାକୁ ରହିଛି । ତେଣୁ ଏସବୁ ବନ୍ଦ କରିବାକୁ ଆଇନର ପ୍ରଣୟନ ଜରୁରୀ । ଆହୁରି ମଧ୍ୟ ଯାଚିକାରେ କୁହା ଯାଇଛି କି, କିଛି ଲୋକ ବା ସଂଗଠନ ଅନ୍ଧବିଶ୍ୱାସ ଓ ଗୁଣିଗାରେଡିର ସାହାରା ନେଇ ବହୁ ସଂଖ୍ୟାରେ ଧର୍ମ ପରିବର୍ତ୍ତନ କରୁଛନ୍ତି ।