ନୂଆ ଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା । ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ ଖାରଜ କରିଛନ୍ତି । ସେ କହିଛନ୍ତି ଯେ, ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ । ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ । ଇଡି ପାଖରେ ପଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।
ତେବେ ଇଡି କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ପଚରାଉଚରା ପରେ ଗିରଫ କରିଥିଲା । ୨୨ ମାର୍ଚ୍ଚରେ ତାଙ୍କୁ କଷ୍ଟଡିକୁ ନେଇ ନିମ୍ନ ଅଦାଲତରେ ହାଜର କରିଥିଲା । ତଳକୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇଥିଲେ । ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ।