ୱାୟନାଡରୁ ନାମାଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ୱାୟନାଡରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ଭଉଣି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ରାହୁଲ କଲପେଟାରୁ ଏକ ବିଶାଳ ରୋଡ ଶୋ’ ଆରମ୍ଭ କରିଥିଲେ । ରୋଡ ଶୋ ବେଳେ କହିଛନ୍ତି ଯେ , ଏଠାକାର ଲୋକଙ୍କ ଭଲପାଇବା ପାଇଁ ମୁଁ ଆଜି ଏଠି । ଆଗକୁ ବି ଆପଣମାନଙ୍କ ଭଲପାଇବା ମତେ ସଫଳତା ଆଣିଦେବ ଏହା ମୁଁ ଜାଣିଛି । ସେ ଆହୁରି କହିଛନ୍ତି ଯେ , ଇତିହାସର ପୁନରାବୃତ୍ତି ହେବ ।
ସୂଚନା ଅନୁଯାୟୀ, ଗତ ନିର୍ବାଚନରେ ରାହୁଲ ଗାନ୍ଧି ପାଖାପାଖି ୫ ଲକ୍ଷ ଭୋଟ ବ୍ୟବଧାନରେ ବଡ ବିଜୟ ହାସଲ କରିଥିଲେ । ତେବେ ଏଥର ୱାୟନାଡ ମ୍ୟାଚ ରାହୁଲ ଗାନ୍ଧୀଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କ ୱାୟନାଡରୁ ପ୍ରାର୍ଥୀ କରିଛି । ତେବେ ସେପଟେ ରାହୁଲଙ୍କ ବିରୋଧରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡା ଟକ୍କର ହେବ ବୋଲି କୁହାଯାଉଛି ।