ମହମବତୀ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାଲିଗଲା ୬ ଜୀବନ

ମହାରାଷ୍ଟ୍ରର : ମହମବତୀ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାଲିଗଲା ୬ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ । ଏକ ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା କୁହାଯାଉଛି । ପିମ୍ପରୀ ଚିଞ୍ଚଓ୍ଵାଡ୍ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍ ସହରର ତଲାଓ୍ଵଡେ ଅଞ୍ଚଳରେ ଘଟିଛି। ନିଆଁ ଲାଗିଯିବାରୁ କାରଖାନାରେ ଥିବା ୬ ଜଣ ଲୋକ ଜିଅନ୍ତା ଜଳି ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଚିଖଲି ଏବଂ ଦେହୁର ରୋଡ୍ ପୋଲିସ ସହ ଅଗ୍ନିଶମ ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁରେ କମ୍ପାନୀର ସମସ୍ତ କଞ୍ଚାମାଲ ଓ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ସେପଟେ ଆହତମାନଙ୍କୁ ପୁନେ ଏବଂ ପିମ୍ପରୀ ଚିଞ୍ଚଓ୍ଵାଡ୍ ଅଞ୍ଚଳର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।