ବଡ଼ଚଣା/ ବେଦପ୍ରକାଶ ନାୟକ: ଦିନକୁ ଦିନ ବଢୁଛି ଦେଶୀମଦ ବେପାର । ଅକାଳରେ ଚାଲିଯାଉଛି ଜୀବନ । ଏମିତିକିଛି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରଠାରେ। ମୃତ ବ୍ୟକ୍ତି ଜଣକ ଘଡେଇ ସାହିର ବଇନ ଘଡେଇ ବୋଲି ଜଣାପଡିଛି । ବ୍ୟକ୍ତି ଜଣକ ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚଢି ମୃତ୍ୟୁ ସହ ଖେଳୁଥିଲେ। ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ପରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଗ୍ନିଶମବାହିନୀ ପହଞ୍ଚିଥିଲେ ବି ତାଙ୍କୁ ରକ୍ଷା କରି ପାରିନଥିଲେ। ଶେଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାୟ ୬୦ଫୁଟ ତଳକୁ ଖସିପଡି ଜୀବନ ଚାଲିଯାଇଛି ।
ସୂଚନା ମୁତାବକ, ବାଲିଚନ୍ଦ୍ରପୁର ଅଂଚଳର ବଇନ ଘଡ଼େଇ ନିଶାଶକ୍ତ ଅବସ୍ଥାରେ ଘର ପାଖରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ଓ ପୋଲିସ କର୍ମଚାରୀ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଏହାକୁ ଭ୍ରୁକ୍ଷେପ ନକରି ପିନ୍ଧିଥିବା ସାର୍ଟ ଖୋଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ିଥିଲେ। ଅଗ୍ନିଶମ ଅଧିକାରୀ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।