ବିଚିତ୍ର ଗାଁ ବିମାନ ନ ଥିଲେ ବଜାର ବନ୍ଦ

କାଲିଫର୍ଣ୍ଣିଆ: ଯୁଗ ବଦଳିଛି ବଦଳିଛି ସମୟ । ବର୍ତ୍ତମାନ ସମୟରେ ଘରେ ଘରେ ସମସ୍ତଙ୍କ ପାଖରେ ରହିଛି ନିଜ ନିଜର ବିଳାସପୂର୍ଣ୍ଣ ଗାଡି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କ ପାଖରେ ନିଜର ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ମଧ୍ୟ ରହିଛ । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ବିମାନ ରହିଛି । ଏଇ ଗାଁର ଲୋକମାନେ ଯୁଆଡେ ଯାଆନ୍ତି ବିମାନ ବ୍ୟବହାର କରିଥାନ୍ତି । ଅଫିସ୍ ହେଉ ବା ନିତିଦିନିଆ କାମ ବିମାନ ନ ହେଲେ ବାହାରନ୍ତି ନାହିଁ ।

ଆମେରିକାର କାଲିଫର୍ନିଆରେ ରହିଛି ଏହି ସୌଖିନ ଗାଁ । ଗାଁର ରାସ୍ତା ଖୁବ୍ ଚଉଡା । ଜାଣିଲେ ବିଶ୍ୱାସ ହେବ ନାହିଁ ଯେ ଏଠାରେ ଥିବା ରାସ୍ତା ବିମାନବନ୍ଦରର ରନୱେ ଅପେକ୍ଷ ଅଧିକ ଚଉଡା । କାଲିଫର୍ନିଆର ଏହି ଗାଁ କ୍ୟାମେରନ୍ ଏୟାର ପାର୍କ ଭାବରେ ଜଣାଶୁଣା । ଏହି ଗାଁରେ ପଶିଲେ ଦେଖିପାରିବେ ପ୍ରତ୍ୟେକ ଘର ସାମ୍ନାରେ ଥୁଆ ହୋଇଛି ବିମାନ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗାଁର ଅଧିକାଂଶ ଲୋକ ହେଉଛନ୍ତି ପାଇଲଟ୍ । ଯେଉଁ କାରଣରୁ ପ୍ରତ୍ୟେକ ଘରେ ବିମାନ ରହିବା ସାଧାରଣ କଥା ହୋଇଯାଇଛି । ପ୍ରତ୍ୟକ ଲୋକଙ୍କ ଘର ସାମ୍ନାରେ ହ୍ୟାଙ୍ଗର୍ ତିଆରି କରାଯାଇଛି ଯେଉଁଠାରେ ବିମାନକୁ ରଖାଯାଏ । ଗାଁରେ ଡାକ୍ତର, ଓକିଲ ଏବଂ ଅନ୍ୟ ଲୋକମାନେ ମଧ୍ୟ ରୁହନ୍ତି । ସେମାନେ ସମସ୍ତେ ବିମାନ ରଖିବାକୁ ବେଶ୍ ପସନ୍ଦ କରନ୍ତି । ବିମାନ ହେଉଛି ଏହି ଗାଁ ଲୋକଙ୍କ ପ୍ରଥମ ପସନ୍ଦ ।

ବିମାନର ଡେଣାକୁ ସୁରକ୍ଷିତ ରଖିବା ପାଇଁ ରାସ୍ତା ଉପରେ ଥିବା ସୂଚନା ଫଳକ ଏବଂ ଲେଟର ବକ୍ସକୁ ଯଥେଷ୍ଟ କମ ଉଚ୍ଚତାରେ ରଖାଯାଇଛି । ସେତିକି ନୁହେଁ, ଏହି ଗାଁର ରାସ୍ତାକୁ ମଧ୍ୟ ବିମାନ ନାମରେ ନାମିତ କରାଯାଇଛି । ଏହି ଗାଁ ରାସ୍ତାର ନାଁ ରଖାଯାଇଛି ବୋଇଂ ରୋଡ ।