ଯାଜପୁର/ ଚକ୍ରଧର ମହାଳିକ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ପଞ୍ଚାୟତର ଗନ୍ଧାପାଳ ଗ୍ରାମର ୬୫ ବର୍ଷୀୟ ଗୁଣନିଧି ବାରିକଙ୍କର ଆଜି ମାଲବାହୀ ଟ୍ରେନରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପୁଅ ବିକାଶ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ପୂର୍ବେ ତାଙ୍କ ବାପା ଗୁଣନିଧି ଏକ ଗଛରୁ ପଡି ଯିବାରୁ ତାଙ୍କର ଗୋଡ଼ ହାତ ଭାଙ୍ଗିଯିବା ସହିତ ତାଙ୍କର ମୁଣ୍ଡ ମଧ୍ୟ ମାଡ ହୋଇଥିଲା । ଯାହାଫଳରେ ସେ ମାନସିକ ବିକୃତ ଥିଲେ । ଗତ କାଲି ରାତିରେ ସମସ୍ତ ପରିବାର ଖାଇ ପିଇ ସୋଇଲା ପରେ ସକାଳ ୫ ଟାରେ ପରିବାର ଲୋକ ଗୁଣନିଧିଙ୍କୁ ପ୍ଧବ ନଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପରିବାର ସମେତ ଗ୍ରାମବାସୀ ଅନେକ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଗୁଣନିଧିଙ୍କୁ କେଉଁଠୁ ବି ପାଇନଥିଲେ । କିଛି ସମୟ ପରେ ଗ୍ରାମର ଲୋକ ମଙ୍ଗଳପୁର ରେଲୱେ କ୍ରସିଙ୍ଗ ପାର କରି ପ୍ଲାଣ୍ଟ ଯିବା ସମୟରେ ରେଲୱେ କ୍ରସିଙ୍ଗର ୧୦୦ ମିଟର ଦୂର ରେଲୱେ ଟ୍ରାକରେ ଗୁଣନିଧି ପଡିରହିଥିବା ଦେଖିବାକୁ ପାଇଥିଲେ। ଗୁଣନିଧିଙ୍କୁ ଦେଖିବା ପରେ ଗ୍ରାମବାସୀ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଖବର ପାଇ ପରିବାର ଲୋକ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ସହିତ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ ଏବଂ ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୁକିନ୍ଦା ପୋଲିସ ଏବଂ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ମୃତ ଗୁଣନିଧିଙ୍କୁ ସ୍ବର୍ଗ ରଥରେ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଦେଖିବାକୁ ମିଳିଛି ।