ହରିୟାଣା: ପୁଣି ଥରେ ହରିୟାଣା ନୁହରେ ୧୪୪ ଧାରା ଲାଗୁ ହୋଇଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ବ୍ରିଜମଣ୍ଡଳ ଯାତ୍ରାକୁ ମଞ୍ଜୁରୀ ଦେଇନଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଯାଇଛି । ତେବେ ନୁହରେ ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ ହେବା ସହ ନୁହର ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇତ୍ୟାଦି ବନ୍ଦ ରହିଛି । ଏବଂ ଇଣ୍ଟରନେଟ ଏବଂ ଏସଏମଏସ ସେବା ମଧ୍ୟ ବନ୍ଦ ରହିଛି । ରାଜ୍ୟରେ ସାମ୍ପ୍ରଦାୟିକ ସଂଘର୍ଷକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମୟରେ ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ଲୋକଙ୍କୁ ଏହି ଶୋଭାଯାତ୍ରାରେ ଯୋଗ ନଦେବାକୁ ଅନୁରୋଧ କରିଛନ୍ତି। ଏନେଇ ହରିୟାଣା ପୋଲିସ ଆକ୍ସନ ମୋଡରେ ରହିଛି ।
ହରିୟାଣା ସରକାରଙ୍କ ବିନା ଅନୁମତିରେ ଏପରି ଯାତ୍ରା ଆରମ୍ଭ ହୋଇଥିବାବେଳେ ପୋଲିସ ଡ୍ରୋନ୍ ମାଧ୍ୟମରେ ବିଭିନ୍ନ ଅଂଚଳ ଉପରେ କଡା ନଜର ରଖିଛି। ହିଂସା ଭିଆଇବାକୁ ଯୋଜନା କଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ନୁହ ସୀମା ସିଲ କରାଯିବା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ୫୦ରୁ ଅଧିକ ସ୍ବତନ୍ତ୍ର ପୋଲିସ ଟିମ୍ ନିୟୋଜିତ ହୋଇଛି।
ଆଜି ଶ୍ରାବଣ ମାସ ଶେଷ ସୋମବାର ଥିବାରୁ ଅନେକ ଲୋକ ଶୈବ ମନ୍ଦିରକୁ ଆସିଥିବାବେଳେ କୌଣସି ବାହାରର ବ୍ୟକ୍ତିଙ୍କୁ ଏଠାରେ ଏଣ୍ଟ୍ରି ପାଇଁ ଅନୁମତି ମିଳିନି । ଗତ ୩୧ ଜୁଲାଇରେ ବ୍ରିଜମଣ୍ଡଳ ଯାତ୍ରା ସମୟରେ ହିଂସା ଏବଂ ଉତ୍ତେଜନା ଦେଖାଯାଇଥିଲା । ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ୟ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଥାନା ଏବଂ ସରକାରୀ କାର୍ୟ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା।