ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍

କୋଟା: ଛାତ୍ରମୃତ୍ୟୁ ରୋକିବାକୁ କୋଟା ହଷ୍ଟେଲ୍‌ ଓ ‘ପେଇଙ୍ଗ୍‌ ଗେଷ୍ଟ୍‌’ କୋଠରିରେ ଲାଗିବ ସ୍ପ୍ରିଙ୍ଗ୍‌ଦିଆ ପଙ୍ଖା | । ଏହି ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜସ୍ଥାନର କୋଚିଙ୍ଗ୍‌ ‘ହବ୍‌’ କୋଟାରେ ଛାତ୍ର ଆତ୍ମହତ୍ୟା ରୋକିବା ଲାଗି ଏଭଳି ନିଷ୍ପତି ନିଆଯାଇଛି |

ସୂଚନାଯୋଗ୍ୟ, ଏହି ପଙ୍ଖାରେ କୌଣସି ଭାରୀ ଜିନିଷ ଓହଳିଲେ ଏଥିରେ ଲାଗିଥିବା ସ୍ପ୍ରିଙ୍ଗ୍‌ ଖୋଲିଯାଇ ପଙ୍ଖା ଛାତରୁ ଅଲଗା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା କରିବାରୁ ରୋକିପାରିବ । ଦିନକୁ ଦିନ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢୁଥିବାବେଳେ ପ୍ରତି ହଷ୍ଟେଲରେ ଏଭଳି ସ୍ପ୍ରିଙ୍ଗ ଫ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଟା ଜିଲ୍ଲାପାଳ ଓମ୍‌ ପ୍ରକାଶ ବୁନକର । ଏଥିସହିତ ଏହି ଆଦେଶନାମା ୨୦୨୨ ଡିସେମ୍ବରରେ ଜାରି କରାଯାଇଥିବା ପୂର୍ବ ଆଦେଶନାମା ବିଷୟରେ ବି କୋଚିଙ୍ଗ୍‌ ପ୍ରତିଷ୍ଠାନ, ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ ସୁବିଧା ଯୋଗାଇ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରାଇ ଦେଇଛି।

ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ପୂର୍ବ ଆଦେଶନାମାରେ କ‌େତେକ ବ୍ୟବସ୍ଥା କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେଥିରୁ କେତେକ ହେଉଛି, ଛାତ୍ରଛାତ୍ରୀଙ୍କ ପାଇଁ ସାପ୍ତାହିକ ଛୁଟି, ଗୋଟିଏ ଶ୍ରେଣୀରେ ସର୍ବାଧିକ ୮୦ ଛାତ୍ରଛାତ୍ରୀ ବସିବା ବ୍ୟବସ୍ଥା, ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କର ମାନସିକ ଅବସ୍ଥାର ବାଧ୍ୟତାମୂଳକ ପର୍ଯ୍ୟବେକ୍ଷଣ। ଏସବୁ ଅମାନ୍ୟ କଲେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।