ଗଞ୍ଜାମ / ରଜନୀକାନ୍ତ ପାତ୍ର : ପରକିୟା ପ୍ରିତିକୁ ବିରୋଧ କରିବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ବୁଗୁଡ଼ାରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଘଟଣା । ସ୍ୱାମୀର ପରକିୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀର ବେକ ଓ ହାତ କାଟି ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ। ଫେରାର ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗରାଜପୂର ମକରାପଲ୍ଲୀ ଗ୍ରାମର ରବୀନ୍ଦ୍ର ନାଇକ ।
ମଧ୍ୟ ରାତ୍ରରେ ଜିରାବାଡି ଗ୍ରାମ ଅଞ୍ଚଳରୁ ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ଚିତ୍କାର କରି ସାହାଯ୍ୟ ମାଗୁଥିବା ବେଳେ, ସ୍ଥାନୀୟ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ । ମହିଳାର ତଣ୍ଟି କଟାଯାଇଥିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଥିଲା ।