ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ଓ ନୁହରେ ହିଂସା ଜାରି ରହିଛି। ହରିୟାଣା ଗୋଷ୍ଠୀ ସଙ୍ଘର୍ଷ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦ୍ୱାରା ଘୋଷିତ ରାଲି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଜରୁରୀ ଆବେଦନ କରାଯାଇଛି। ତୁରନ୍ତ ଏନେଇ ଶୁଣାଣି କରିବାକୁ ବରିଷ୍ଠ ଓକିଲ ସିୱାଇ ସିଂହ ଆବେଦନ କରିଛନ୍ତି। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗୁରୁଗ୍ରାମର ସେକ୍ଟର ୭୦ରେ ହିଂସା ଘଟଣା ଘଟିଥିଲା। କେତେକ ଦୁର୍ବୁତ୍ତ ସେକ୍ଟର ୭୦ରେ ଥିବା ଦୋକାନ ଏବଂ ଘର ଉପରେ ନିଆଁ ଲଗାଇ ଦେଇଥିଲେ। ସୋମବାର ନୁହରେ ଧାର୍ମିକ ଶୋଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ମଥ୍ରୁକ୍ଷକ ଦୁର୍ଗା ବାହିନୀ ବ୍ରଜମଣ୍ଡଲ ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥର ମାଡ଼ ଓ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ ଜଣ ପ୍ରାଣ ହରାଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ହରିୟାଣାର ହିଂସା ପ୍ରଭାବିତ ନୁହ ଜିଲାରେ କର୍ତ୍ତୃପକ୍ଷ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ଘଟଣାରେ ୧୧୧ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ହିଂସାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।