ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଜିମ୍ବାୱେ: ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ ଆଉ ପରୀକ୍ଷା କରିବା ପରିବର୍ତ୍ତେ ଅସଲ ବ୍ୟାଟିଂ କ୍ରମରେ ଖେଳି ବୋର୍ଡରେ ବଡ଼ ରନ୍‌ କରିବାକୁ ଚାହିଁବ ।

ଜିମ୍ବାୱେରେ ଅନୁଷ୍ଠିତ ବିଶ୍ୱକପ୍‌‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ପରାଜିତ ହୋଇ ବାଦ୍‌‌ ପଡ଼ିବା ପରେ ଗୁରୁବାର ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଦୟନୀୟ ପ୍ରଦର୍ଶନ କରି ହାରିଯାଇଥିଲା। ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଚଳାଇଥିବା ଭାରତ ସମସ୍ତ ବିଭାଗରେ ୱେଷ୍ଟଇଣ୍ଡିଜ୍‌‌କୁ ମାତ୍‌‌ ଦେଇ ସହଜ ବିଜୟ ହାସଲ କରିଥିଲା। ଏପରିକି ବିଜୟ ଲକ୍ଷ୍ୟ ମାତ୍ର ୧୧୫ ଥିବାରୁ ଦଳ ସମସ୍ତ ଯୁବ ତଥା ନୂଆ ଖେଳାଳିଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ପଠାଇଥିଲା। ଶାର୍ଦ୍ଦୁଳ ଠାକୁର ନଂ-୬ରେ ବ୍ୟାଟିଂ କରିଥିଲାବେଳେ ବ୍ୟାଟିଂ କରିବାକୁ ସୁଯୋଗ ପାଇ ନଥିବା ବିରାଟ କୋହଲି ନଂ-୮ରେ ବ୍ୟାଟିଂ କରିଥାନ୍ତେ। ଆବଶ୍ୟକ ହେବାରୁ ଓପନର ରୋହିତ ଶର୍ମା ନଂ-୭ରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଭଳି ସ୍ଥିତିରେ ଏଠାରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌‌ ଭ୍ରମଣକାରୀ ଦଳ ଭାରତ ଲାଗି କିଛି ବଡ଼ ଧରଣର ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଏହି ମ୍ୟାଚ୍‌‌ ଲାଗି ୱେଷ୍ଟଇଣ୍ଡିଜ୍‌‌ ଚୂଡାନ୍ତ ଦଳରେ ଏବଂ ଭାରତୀୟ ବ୍ୟାଟିଂ ଅର୍ଡରରେ ନିଶ୍ଚିତ ପରିବର୍ତ୍ତନ ହେବ।

ବ୍ରିଜଟାଉନ୍‌ର କେନସିଙ୍ଗଟନ୍‌ ଓଭାଲ୍‌ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ପିଚ୍‌ ପରିବର୍ତ୍ତେ ଦ୍ବିତୀୟ ପିଚ୍‌ରେ ଶନିବାର ମ୍ୟାଚ୍‌ ଖେଳାଯିବ। ଯଦିଓ ପିଚ୍‌ ଅଲଗା ହେଉଛି, କିନ୍ତୁ ଏହାର ବ୍ୟବହାର ପ୍ରାୟତଃ ସମାନ ରହିବ। ତେଣୁ ଭାରତ ପଛରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରଥମେ ବ୍ୟାଟିଂ କଲେ ବାମହାତୀ ସ୍ପିନର ଗୁଡ଼କେଶ ମୋତି ଓ ୟାନିକ୍‌ କାରିଆଙ୍କ ଲେଗ୍‌ ସ୍ପିନ୍‌ଙ୍କୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କୁ ସମସ୍ୟା ହୋଇପାରେ। କାରିବିୟାନ୍‌ର ଟର୍ଣ୍ଣିଂ ପିଚ୍‌ରେ ସ୍ପିନରଙ୍କୁ ଠିକ୍‌ ଭାବେ ଖେଳିବାରେ ‌ଭାରତୀୟମାନେ ଏପର୍ଯ୍ୟନ୍ତ ଅଭ୍ୟସ୍ତ ହୋଇପାରିନାହାନ୍ତି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କଲେ ଗୁରୁବାର ମ୍ୟାଚ୍‌ ସ୍ଥିତି ଭଳି ଭାରତୀୟଙ୍କ ଅବସ୍ଥା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।