ମଣିପୁର ଘଟଣାରେ ସମ୍ପୃକ୍ତ ଥିବା ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଗିରଫଦାରିକୁ ମିଶାଇ ଜଣେ ନାବାଳକଙ୍କ ସମେତ ଏହି ଘଟଣାରେ ମୋଟ ୭ଜଣଙ୍କୁ ଗିରଫ କରା ସରିଲାଣି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜୁଛି ମଣିପୁର ପୋଲିସ । ଗତକାଲି ୭ମ ଅଭିଯୁକ୍ତଙ୍କୁ ଥୌବାଲ ଜିଲ୍ଲାରୁ ଗିରଫ କରାଯାଇଥିବା କୁହାଯାଉଛି । ମଣିପୁରର କାଙ୍ଗ୍ ପୋକ୍ପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଧବାର ଦିନ ଭାଇରାଲ୍ ହେବା ପରେ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାଟି ମେ ୪ ତାରିଖରେ ଘଟିଥିଲା। ସେଦିନ ଅପରାହ୍ଣ ପ୍ରାୟ ୩ଟା ବେଳେ ୮୦୦ରୁ ୧୦୦୦ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ବି ଫାଇନୋମ୍ ଗ୍ରାମରେ ପ୍ରବେଶ କରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ପୁଲିସ ତତ୍ପର ହୋଇ ତଲାସ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।