ଆବୁଧାବି: ସର୍ବସାଧାରଣରେ ଚିତ୍କାର କରିଥିବା ଅଭିଯୋଗରେ ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ହଷ୍ଟନରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁବାଇରେ ଜେଲଦଣ୍ଡାଦେଶ ଦିଆଯାଇଛି । ଟିଏରା ୟଙ୍ଗ୍ ଆଲେନ୍ ନାମ୍ନୀ ଏହି ଯୁବତୀ ୨ ମାସ ହେବ ସେଠାରେ ଅଟକ ରହିଛନ୍ତି । ତାଙ୍କର ପାସପୋର୍ଟ ବି ଜବତ କରାଯାଇଛି। ତେବେ ପରିବାର ଲୋକେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି।
ଯୁବତୀଙ୍କ ମାଆ ଟିନା ବେକଷ୍ଟରଙ୍କ କହିବା ଅନୁସାରେ, ଘଟଣାଟି ମେ ମାସରେ ଘଟିଥିଲା। ସେତେବେଳେ ତାଙ୍କ ଝିଅ ସାଙ୍ଗସାଥୀଙ୍କ ସହିତ ଦୁବାଇ ବୁଲି ଯାଇଥିଲା। ସାଙ୍ଗସାଥୀମାନେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ସେମାନେ ଭଡ଼ାରେ ଆଣିଥିବା କାରଟିକୁ ଜବତ କରାଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ ବି ଗାଡ଼ି ଚଳାଉଥିବା ଅଭିଯୋଗରେ ଝିଅର ବନ୍ଧୁଙ୍କୁ ଦୁବାଇ ପୁଲିସ ଅଟକ ରଖିଥିଲା। ପ୍ରାୟ ସପ୍ତାହେ ପରେ ସମସ୍ତଙ୍କୁ ହାଜତରୁ ଛାଡ଼ି ଦିଆଯାଇଥିଲା। କିନ୍ତୁ, ସମସ୍ୟା ଆରମ୍ଭ ହେଲା ଯେତେବେଳେ ଝିଅ ଆଲେନ୍ କାର୍ ଭଡ଼ା ଦେଇଥିବା କମ୍ପାନି ପାଖକୁ ନିଜ ପରିଚୟ ପତ୍ର, କ୍ରେଡିଟ୍ କାର୍ଡ ଓ ଜବତ ହୋଇଥିବା ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ପାଇଁ ଗଲା। ବିପୁଳ ପରିମାଣର ଅର୍ଥ ଦେଲେ ଯାଇ ସେସବୁ ଫେରସ୍ତ ଦିଆଯିବ ବୋଲି ଆଲେନଙ୍କୁ କୁହାଯାଇଥିଲା। ସେଠାରେ ଜଣେ ଯୁବକ ରାଗରେ ବଡ଼ ପାଟିରେ ଆଲେନଙ୍କ ସହିତ କଥାବାର୍ତ୍ତା କରିବାରୁ ଆଲେନ୍ ମଧ୍ୟ ଚିତ୍କାର କରିଥିଲେ। ତେଣୁ ତାଙ୍କ ନାମରେ ସର୍ବସାଧାରଣ ସ୍ଥାନରେ ଚିତ୍କାର ଅଭିଯୋଗ ଦାଏର କରାଯାଇଛି। ଏହି କାରଣରୁ ସେ ଏବେ ଦୁବାଇ ଜେଲରେ ଅଛିନ୍ତି। ସେ ଦେଶରେ ମହିଳାମାନଙ୍କର ପାଟି କରିବାର ଅଧିକାର ବି ନାହିଁ ବୋଲି ମାଆ ବେକଷ୍ଟର୍ ବିସ୍ମିତ ହୋଇ କହିଛନ୍ତି। ୟୁଏଇର ଆଇନ ଆମେରିକାର ଆଇନଠାରୁ ଭିନ୍ନ। ତେଣୁ ଦୁବାଇ ବୁଲିଯାଉଥିବା ଆମେରିକୀୟମାନଙ୍କୁ ଏ ବିଷୟରେ ସାବଧାନ ରହିବାକୁ ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚିତ କରାଯାଇଥାଏ ।