ମହାଦେବଙ୍କ ସାମ୍ନାରେ ଫିକା ପଡିଲା ପ୍ରକୃତିର ତାଣ୍ଡବ

ହିମାଚଳ: ଜଲମୟ ଉତ୍ତରଭାରତ । ଦିଲ୍ଲୀରୁ କାଶ୍ମୀର ଯାଏ ବନ୍ୟା ପରିସ୍ଥିତି । ଏହିସବୁ ଭିତରେ ଏକ ଭାବ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳର ମଣ୍ଡି ଜିଲ୍ଲାରେ । ସେଠାରେ ଥିବା ୫୦୦ରୁ ଅଧିକ ବର୍ଷ ପୁରୁଣା ମନ୍ଦିର । ଆଉ ଏହି ମନ୍ଦିର ଦେଖିବାକୁ କେଦାରନାଥ ମନ୍ଦିର ଭଳି । ୨୦୧୩ରେ କେଦାରନାଥରେ ଆସିଥିବା ଜଳପ୍ରଳୟରେ ଉତ୍ତରାଖଣ୍ଡର ସବୁକିଛି ଛାରଖାର ହୋଇଯାଇଥିଲା । କିନ୍ତୁ କେଦାରନାଥ ମନ୍ଦିର ସେହିଭଳି ରହିଥିଲା । ଠିକ୍‌ ସେହିପରି ହିମାଚଳର ପଞ୍ଚବକତ୍ର ମନ୍ଦିର ସେମିତି ଠିଆ ହୋଇଛି ।ମହାଦେବଙ୍କ ସାମ୍ନାରେ ପଡିଲା ଫିକା ପ୍ରକୃତିର ତାଣ୍ଡବ ।

ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଜଳପ୍ରଳୟ ଚାରିଆଡେ ଦେଖିବାକୁ ମିଳିଛି । କିନ୍ତୁ ମନ୍ଦିରର କିଛି ହୋଇନି । ଏହି ମନ୍ଦିରକୁ ଯୋଡୁଥିବା ପୁରୁଣା ଲୁହାପୋଲ ମଧ୍ୟ ଭାଙ୍ଗି ଭାସିଯାଇଛି । ବନ୍ୟା ପାଣି ଛାଡିବା ପରେ ସବୁକିଛି ନଷ୍ଟ ହୋଇଯାଇଥିବା ବେଳେ ମନ୍ଦିରର କିଛି ବି କ୍ଷତି ହୋଇନି । ମନ୍ଦିର ପ୍ରବେଶ ଦ୍ୱାରରେ ୩ରୁ ୪ ଫୁଟ ମାଟି ଜମି ରହିଛି । ମନ୍ଦିର ପ୍ରବେଶ ପଥରେ ଥିବା ନନ୍ଦୀ ମୂର୍ତ୍ତିର କେବଳ ଶିଙ୍ଗ ଦେଖାଯାଉଛି । ମନ୍ଦିର ଭିତରେ ଶିବଲିଙ୍ଗ, ନନ୍ଦୀ ଏବଂ ମନ୍ଦିର ମଧ୍ୟରେ ଥିବା ପଥର ସେମିତି ରହିଛି । ବନ୍ୟାର ପ୍ରଖର ଧାରରେ ଜଳଧାରା ମନ୍ଦିର ପ୍ରବେଶ ଦ୍ୱାର କ୍ଷତିଗ୍ରସ୍ତ କରିଛି ସତ କିନ୍ତୁ ମନ୍ଦିରର ଦିବ୍ୟତା ଏବଂ ଭବ୍ୟତା ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।