ଭୁବନେଶ୍ୱର: ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତୀକରଣ । ଉଚ୍ଚଶିକ୍ଷାନୁଷ୍ଠାନରେ ହେବ ସର୍ବାଙ୍ଗୀନ ଉନ୍ନତି । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢିବେ । କଲେଜ କ୍ୟାମ୍ପସର ରୂପରେଖ ବଦଳିବ । ଅତ୍ୟାଧୁନିକ ବ୍ୟାବସ୍ଥାରେ ଚମକିବ ପୂରା କଲେଜ । ଏଥିପାଇଁ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ ।
ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରୀକରଣ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ ଲିମିଟେଡର ସିଏସଆର ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି । ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନର ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ଅର୍ଥରାଶିରେ ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକର ଗନ୍ଦଳା-ବେଲଗାମସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମାସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାସନସ୍ଥିତ ଓଏଭିଏସ ହିଞ୍ଜିଳିକାଟୁ, ଏବଂ ଗନ୍ଦଳା-ବେଲଗାମସ୍ଥିତ ଶ୍ରୀ ବାଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମୁନିସପାଲିଟିର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବିଜ୍ଞାନ ମହାବିଦ୍ୟାଳୟ, ଶେରଗଡ ବ୍ଲକର ପିତ୍ତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେରଗଡ ଓଏଭି, ଏବଂ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତି କରାଯିବ ।
ଏହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟଶ୍ରେଣୀଗୃହ ନିର୍ମାଣ ହେବ । ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ, କମନରୁମ, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ । ଏହା ସହ ଇ-ଲାଇବ୍ରେରୀ, କଲେଜ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କଲେଜରେ ବାସ୍କେଟବଲ, ଭଲିବଲ କୋର୍ଟ ତିଆରି ହେବ ।