ଯାଜପୁର: ଅସହାୟ ଗରିବ ଝିଅକୁ ବିବାହ କରାଇଲେ କିନ୍ନର ସଂଘ। ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନିତି ଅନୁସାରେ ସମସ୍ତ ଖର୍ଚ୍ଚ ଓ ଦାୟିତ୍ବ ବହନ କରି ଜଣେ ଯୁବତୀଙ୍କୁ ବିବାହ କରାଇଛନ୍ତି କିନ୍ନର ସଂଘ । କିନ୍ନରମାନଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଜନ ସାଧାରଣ।
ଯାଜପୁର ପୌରପାଳିକା ଅଞ୍ଚଳରେ ବସବାସ କରୁଥିବା ଯୁବତୀ ରଶ୍ମି ବହୁତ ଗରିବ ପରିବାରର। ବାପା ଆରପାରିକୁ ଚାଲିଯାଇଛନ୍ତି। ସେଥିପାଇଁ ରଶ୍ମିଙ୍କ ମା ଝିଅର ବିବାହ ଲାଗି କିନ୍ନର ସଂଘକୁ ସାହାଯ୍ୟ ମାଗିଥିଲେ । କିନ୍ନର ସଂଘ ଦଶରଥପୁର ବ୍ଳକ ଅହିୟାସ ଅଞ୍ଚଳର ଜଗନ୍ନାଥ ସାହୁ ନାମକ ଜଣେ ଯୁବକଙ୍କୁ ବରପାତ୍ର ଭାବେ ଠିକ କରି ଆଜି ବିବାହ ସମ୍ପାଦନ କରାଇଥିଲେ। ଏହି ବିବାହ କାର୍ୟ୍ୟରେ ବହୁ କିନ୍ନର ଏବଂ ସମାଜ ସେବୀ ପହଞ୍ଚି ବରକନ୍ୟାକୁ ଆର୍ଶିବାଦ କରିଥିଲେ । କେବଳ ଖାଲି ବିବାହ କରାଇଲେ ତା ନୁହେଁ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଯୁବ ନେତା ପୁଲିନ ପ୍ରକାଶ ପୁହାଣ ମଧ୍ୟ ଆର୍ଥିକ ସହାୟତା ଯୋଗାଇଥିଲେ। କିନ୍ନର ସଂଘର ଏଭଳି କାର୍ୟ୍ୟକୁ ନେଇ ବେଶ ଖୁସି ଯାଜପୁର ବାସୀ ।