ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଭତ୍ତା ସମସ୍ୟା ଦୂର ହେବ । ଅବସର ପରେ କର୍ମଚାରୀଙ୍କୁ ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଭତ୍ତା ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ପେନସନ୍ ସେଲ୍ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗର ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଥିବାବେଳେ ନେଇ ସୂଚନା ମିଳିଛି।
ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ଗ୍ରହଣ ପରେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗର ବିଭିନ୍ନ ଆନୁଷଙ୍ଗିକ କ୍ଷେତ୍ର ସମ୍ପର୍କରେ ସମୀକ୍ଷା କରିଛନ୍ତି। କାର୍ଯ୍ୟରେ ସର୍ବଦା ‘୫-ଟି’ର ଆଧାରକୁ ଗୁରତ୍ୱ ଦେବା ଓ ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନ ପାଇଁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିବାବେଳେ କର୍ମଚାରୀଙ୍କ ପେନସନ୍ ସମସ୍ୟା ସମାଧାନ ଲାଗି ସେ ଗୁରୁତ୍ୱ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗରେ ପେନ୍ସନ୍ଭୋଗୀଙ୍କ ସମସ୍ୟାକୁ ଉଚ୍ଚଶିକ୍ଷା ବିଭାଗ ଆଦୌ ବରଦାସ୍ତ କରିବ ନାହିଁ ବୋଲି ମନ୍ତ୍ରୀ ଦର୍ଶାଇବା ସହ ଅବସର ଦିନ ହିଁ କର୍ମଚାରୀଙ୍କ ପେନସନ୍ ସମ୍ପର୍କିତ ସମସ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷାନୁଷ୍ଠାନଗୁଡ଼ିକର ‘ନାକ୍’ ଓ ‘ଏନ୍ଆଇଆରଏଫ୍’ ଆଦି ଜାତୀୟସ୍ତରର ମାନ୍ୟତା ବୃଦ୍ଧି ଦିଗରେ ସବିଶେଷ ଆଲୋଚନା ହୋଇଥିଲା। ସେହିପରି ବିଭାଗରେ ଖାଲିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯିବା କହିଛନ୍ତି ।