ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି କଲା ବିଜେଡି

ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର । ବାରମ୍ବାର ଦାବି ପରେ ବି ମିଳୁନି ସ୍ୱାଧୀନତା ସଂଗ୍ରାମ ମାନ୍ୟତା । ଏନେଇ କେନ୍ଦ୍ର ସରକାରକୁ ସମାଲେଚନା କରିଛି ବିଜେଡି । ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା। ଯାହାକି ଦେଶ ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ। ପାଇକ ବିଦ୍ରୋହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଭାବେ ଘୋଷଣା ପାଇଁ ଦାବି କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୭ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା।

ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ ଏକର ଜାଗା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେଇଛନ୍ତି। ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ। ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯, ୨୦୨୦, ୨୦୨୧ରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡି ବିଧାୟକ ମିଳିତ ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ରାଜ୍ୟର ସବୁ ପ୍ରକାର ସହଯୋଗ ପରେ ବି କେନ୍ଦ୍ର ସରକାର ନିଦାବିଷ୍ଣୁ ହୋଇ ବସିଛି।

ଏଯାଏ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଓଡ଼ିଶାରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ୮ ବିଜେପି ସାଂସଦ ଥିଲେ ମଧ୍ୟ ଦିନେ ବି ଏ ସମ୍ପର୍କରେ ସଂସଦରେ ସ୍ବର ଉଠାଇନାହାନ୍ତି। ଭୁବନେଶ୍ବର ସାଂସଦଙ୍କ ନିର୍ବାଚନୀ କ୍ଷେତ୍ର ହୋଇ ବି ପାଇକଙ୍କ ପାଇଁ ଦାବି ଉଠାଇ ନଥିବା ଅଭିଯୋଗ ହୋଇଛି। ପାଇକଙ୍କ ସଂଗ୍ରାମକୁ ସମ୍ମାନ ଦେଇ ତୁରନ୍ତ ୧୮୧୭ ମସିହା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି ଦୋହରାଇଛି ବିଜେଡି।