ଅଙ୍ଗନୱାଡ଼ି ଶ୍ରେଣୀ ଗୃହରେ ପିଲାଙ୍କ ଉପରେ ଖସିଲା ପ୍ଲାଷ୍ଟର

ଅନୁଗୁଳ: ଅଙ୍ଗନୱାଡ଼ି କେନ୍ଦ୍ରରେ ଖସିପଡ଼ିଲା ପ୍ଲାଷ୍ଟର। ପିଲାମାନେ ପାଠପଢ଼ୁଥିବା ସମୟରେ ହଠାତ୍ ଛାତରୁ ଖସିପଡ଼ିଥିଲା ପ୍ଲାଷ୍ଟର । ପ୍ଲାଷ୍ଟରଟି ଅଙ୍ଗନୱାଡ଼ି ଦିଦିଙ୍କ ଦେହରେ ପଡ଼ିଥିବା ବେଳେ କଂକ୍ରିଟ୍ ଖଣ୍ଡ ଗୁଡ଼ିକ ପିଲାଙ୍କ ଉପରେ ପଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଇଣ୍ଡାସ୍ଥିତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ।

ଏହି ଅଙ୍ଗନୱାଡ଼ିରେ ୨୫ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠପଢ଼ୁଥିବା ସମୟରେ ହଠାତ୍ ଛାତରୁ ଖସି ପଡ଼ିଥିଲା ପ୍ଲାଷ୍ଟର । ଏହି ଘଟଣାରେ ଅଙ୍ଗନୱାଡ଼ି ଦିଦିଙ୍କ ସମେତ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଠାକୁରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅଙ୍ଗନୱାଡ଼ି ଦିଦି ଓ ପିଲାମାନେ ଘରକୁ ଫେରିଥିବା ଜଣାପଡ଼ିଛି।