ବିଭିନ୍ନ ବ୍ୟାଙ୍କରେ ଏ ପର୍ଯ୍ୟନ୍ତ ୧.୮ଲକ୍ଷ କୋଟି ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା ଏପର୍ୟ୍ୟନ୍ତ ବ୍ୟାଙ୍କକୁ ଫେରିଛି । ଏହାସହ ୮୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର କୌଣସି ଯୋଜନା ନଥିବା ବେଳେ ୧୦୦୦ ଟଙ୍କିଆ ନୋଟକୁ ପୁଣିଥରେ ପ୍ରଚଳନ କରିବାର ମଧ୍ୟ କୌଣସି ଯୋଜନା ନାହିଁ ।
ସୂଚନା ଥାଉକି, ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ମେ’ମାସ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରାଯାଇଥିଲା । ଯାହା ପାଖରେ ୨୦୦୦ ଟଙ୍କିଆ ନୋଟ ରହିଛି ସେ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବିନା କୌଣସି ପରିଚୟପତ୍ରରେ ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲେ ।