ବାଲେଶ୍ୱର: ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ବଡ଼ ଦୁଃଖ ଆଣିଦେଇଛି। ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କାନ୍ଦବୋବାଳିରେ ଫାଟିପଡୁଛି ବାଲେଶ୍ବର। କିଏ ପୁଅକୁ ହରେଇଛି,ତ ଆଉ କିଏ ମା, ବାପା,ଭାଇ ଓ ଭଉଣୀକୁ ହରାଇଛି। ବର୍ତ୍ତମାନ ସୁଦ୍ଧା ଟ୍ରେନ ଦୁର୍ଘଟଣା ଘଟଣାରେ ୨୮୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଦୁର୍ଘଟଣାରେ ଆଗକୁ ମୃତକଙ୍କ ସଂଖ୍ୟା ବହୁତ ବଢିବ, କାରଣ ଏଯାଏଁ ବହୁତ ଟ୍ରେନ୍ ବଗି ତଳେ ଲୋକ ଚାପିହୋଇ ରହିଛନ୍ତି ବୋଲି ସୂଚନା ମିଳୁଛି।
ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର କାର୍ୟ୍ୟ ନେଇ ଆଲୋଚନା କରିଛନ୍ତି । ଚିକିତ୍ସାରେ ଯେମିତି କୌଣସି ଅଭାବ ନହୁଏ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ” ଏହା ଅତ୍ୟନ୍ତ ଦୁଃଖଦ ଟ୍ରେନ୍ ଦୁର୍ଘଟଣା।ମୋତେ ସ୍ଥାନୀୟ ଦଳ, ସ୍ଥାନୀୟ ଲୋକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ୟ୍ୟ କରିଛନ୍ତି। ରେଳ ସୁରକ୍ଷାକୁ ସର୍ବଦା ପ୍ରଥମ ଗୁରୁତ୍ବ ଦିଆଯିବା ଉଚିତ୍ । ପୀଡ଼ିତ ଲୋକଙ୍କୁ ବାଲେଶ୍ବର ଏବଂ କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିବ ଯାହା ଦ୍ବାରା ସେମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟରେ ଯେଉଁଭଳି ଭାବେ ନିଃସ୍ବାର୍ଥ ଭାବେ ସହଯୋଗ କରିଛନ୍ତି, ଏହାକୁ ଭୁଲି ହେବ ନାହିଁ।